ନବରଙ୍ଗପୁର ଜିଲ୍ଲାରେ ଆରମ୍ଭ ହେଲା ଲକ୍ଷ୍ମୀ ବସ୍ ଯୋଜନା, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବରଙ୍ଗପୁର ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ। ଏଥିରେ ମିଶନ ଶକ୍ତି ମା’ମାନଙ୍କୁ ବସ୍ ପରିଚଳନାର ଦାୟିତ୍ୱ ଦିଆଯାଇଛି। ଏହି ଯୋଜନାରେ ମହିଳା, ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମ ବର୍ଗର ଲୋକମାନେ ମାତ୍ର ୫ ଟଙ୍କାରେ ଗାଁରୁ ବ୍ଲକକୁ ଯାଇପାରିବେ। ନବରଙ୍ଗପୁରରେ ୪୪ଟି ବସ୍ ୧୦ଟି ବ୍ଲକର ସବୁ ପଞ୍ଚାୟତକୁ ଯୋଡିବ। ଏହି ଅବସରରେ ଉଦ୍ବୋଧନ ଦେଇ ନବରଙ୍ଗପୁର ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ କହିଲେ ଯେ ଦୁର୍ଗମ ଅଞ୍ଚଳରେ ଗମନାଗମନ ଏକ ବଡ ସମସ୍ୟା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତରୁ ଲୋକଙ୍କ ଯିବା ଆସିବାର ଅସୁବିଧା ବିଷୟରେ ମୁଁ ଜାଣିବା ପରେ ଆମର ଏହି ଲକ୍ଷ୍ମୀ ଯୋଜନା ଆରମ୍ଭ କରାଗଲା। ଲକ୍ଷ୍ମୀ ଯୋଜନାରେ ଗମନାଗମନ ଓ ପରିବହନ ବ୍ୟବସ୍ଥାରେ ଆପଣଙ୍କ ଗାଁ ଏବେ ଯୋଡି ହେଲା । ଏହା ଦ୍ୱାରା ଗ୍ରାମାଞ୍ଚଳରେ ସାମାଜିକ ସଂପର୍କ ମଜବୁତ୍ ହେବା ସହିତ ଅର୍ଥନୀତି ମଧ୍ୟ ଆହୁରି ସୁଦୃଢ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଏହି ଅବସରରେ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଥିଲେ ଯେ ଆଜି ମାର୍ଗଶୀର ମାସ ପ୍ରଥମ ଗୁରୁବାରରେ ଆମେ ସମସ୍ତେ ଯେତେବେଳେ ମା’ ଲକ୍ଷ୍ମୀଙ୍କୁ ପୂଜା କରି ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରୁଛୁ, ସେତେବେଳେ ମୁଖ୍ୟମନ୍ତ୍ରୀ ଆଜି ଆମ ସମସ୍ତଙ୍କ ପାଇଁ ଘରେଘରେ ଲକ୍ଷ୍ମୀ ଆଣିଛନ୍ତି। ପରିବହନ ସେବା ଆଜି ଡୋରଷ୍ଟେପ୍ରେ ପହଞ୍ଚିଛି। ଓଡିଶାରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। ବିଶେଷ କରି ମା’ମାନଙ୍କ ଅବସ୍ଥାରେ ରୂପାନ୍ତର ଆସିଛି। ୩୦ ବର୍ଷ ତଳକୁ ଦେଖିଲେ ଆଜି ମା’ମାନଙ୍କ ସ୍ଥିତିରେ ଯେଉଁ ପରିବର୍ତ୍ତନ ଆସିଛି, ତାହା କେହି ଚିନ୍ତା କରିନଥିଲେ। ମା’ମାନଙ୍କର ଏହି ରୂପାନ୍ତର ଶ୍ରେୟ କେବଳ ମୁଖ୍ୟମନ୍ତ୍ରୀଙ୍କର ବୋଲି ସେ କହିଥିଲେ। ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।