ଆସନ୍ତା ୧୫ ତାରିଖରେ ବିଜେଡି ରାଜନୀତିରେ ହେବ କି ବଡ଼ ଘୋଷଣା , ପାଣ୍ଡିଆନଙ୍କ ପରବର୍ତ୍ତୀ ଦାୟିତ୍ୱ ଉପରେ ରହିବ ନଜର
ଭୁବନେଶ୍ୱର: ଭି.କେ ପାଣ୍ଡିଆନ୍। ନବୀନ ଓଡ଼ିଶା ତଥା ଫାଇଟ୍ –ଟି ଅଧ୍ୟକ୍ଷ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶ୍ୱାସଭାଜନ ହୋଇଥିବା ବ୍ୟକ୍ତି। ନିକଟରେ ପ୍ରଶାସନିକ ସେବା ଚାକିରୀରୁ ସ୍ୱେଚ୍ଛାକୃତ ଅବସର ନେଇ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ହେଲେ ସେ ସାଧାରଣ ସଦସ୍ୟ ଭାବେ କାର୍ଯ୍ୟ କରିବେ। ନା କୌଣସି ପଦବୀରେ ରହିବେ। ଯଦି ପଦବୀରେ ରହିବେ ତେବେ ଦଳୀୟ ନା ସରକାରରେ। ଦଳରେ ରହିଲେ କାର୍ଯ୍ୟକାରୀ ସଭାପତି ହେବେ ନା ଉପସଭାପତି। ଏନେଇ କଳ୍ପନାଜଳ୍ପନା ଲାଗି ରହିଛି। ସେହିପରି ପ୍ରଶାସନରେ ନବୀନ ଓଡ଼ିଶା ଅଧ୍ୟକ୍ଷ ଭାବେ କାର୍ଯ୍ୟ ଜାରି ରଖିବେ ନା କ୍ଷମତା ରାଜନୀତିର ଅଳିନ୍ଦରେ ଆନୁଷ୍ଠାନିକ ଭାବେ ଅଧିକୃତ ହେବେ। ଏହି ସବୁ ପ୍ରଶ୍ନ ରାଜ୍ୟ ରାଜନୈତିକ ମହଲ ଓ ବିଜେଡିରେ ଚର୍ଚ୍ଚାର କାରଣ ହୋଇଛି।
ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଆସନ୍ତା ୧୫ ତାରିଖରେ ଏନେଇ ଗୋଟିଏ ସ୍ପଷ୍ଟ ଚିତ୍ର ଆସିବ। ବିଜୁ ଜନତା ଦଳର ସର୍ବୋଚ୍ଚ ଦଳୀୟ ଫୋରମରେ ଏ ସମ୍ପର୍କରେ ନିଜ ସଭାପତି ଶ୍ରୀ ପଟ୍ଟନାୟକ ଘୋଷଣା କରିବେ। ଏହାର ଦିନକ ପୂର୍ବରୁ ବହୁ ଛାମୁଆ ନେତା, ବିଧାୟକ, ସାଂସଦ ଓ ନିଗମ ଅଧ୍ୟକ୍ଷ ଇତ୍ୟାଦିଙ୍କୁ ଶ୍ରୀ ପଟ୍ଟନାୟକ ଓ ପାଣ୍ଡିଆନଙ୍କ ସହ ଆଗାମୀ ନିର୍ବାଚନ ଓ ଦଳ ପରିଚାଳନା ସମ୍ପର୍କରେ ମତ ବିନିମୟ କରିବେ। ବିଶେଷ କରି ୧୫ ତାରିଖରେ ହେବାକୁ ଥିବା ବୈଠକର ଏକ ଷ୍ଟେଜ୍ ରିଅଲସଲ୍ ସରିଯାଇଛି। ଆଗୁଆ ସୂଚନା ଓ ନିର୍ଦ୍ଦେଶିତ ପଥ ଅନୁଯାୟୀ ବରିଷ୍ଠ ନେତାମାନେ ନିଜ ଦାୟିତ୍ୱ ସମ୍ପାଦନ କରିବେ। ଉଭୟ ୧୪ ଓ ୧୫ ତାରିଖ ଦଳର ସଂଖ୍ୟାଧିକ ନେତାଙ୍କୁ ରାଜଧାନୀରେ ରହିବା ପାଇଁ କୁହାଯାଇଛି।