ଅଜୟ ଆସିବା ପୂର୍ବରୁ ସବୁ ବରିଷ୍ଠଙ୍କ ସହ କ’ଣ କଥା ହେଉଛନ୍ତି, ଜାନୁୟାରୀ ୬ ପୂର୍ବରୁ କଂଗ୍ରେସ ନୂଆ ଘୋଷଣା କରିବ କି ?

ନୂଆଦିଲ୍ଲୀ :  ଆସନ୍ତା ଜାନୁଆରୀ ୧୪ ତାରିଖରୁ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀ ‘ଭାରତ ଯୋଡ଼ୋ ଯାତ୍ରା’ର ଦ୍ୱିତୀୟ ସଂସ୍କରଣ ‘ଭାରତ ନ୍ୟାୟ ଯାତ୍ରା’ରେ ବାହାରିବେ ବୋଲି ଜଣାପଡିଛି। ଜାନୁଆରି ୧୪ ତାରିଖ ଦିନ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍‌ଗେ ମଣିପୁରରେ ଏହି ‘ଭାରତ ନ୍ୟାୟ ଯାତ୍ରା’ର ଶୁଭାରମ୍ଭ କରିବେ ବୋଲି ଜଣାପଡିଛି। ଅନୁରୂପ ଭାବରେ ଉତ୍ତର-ପୂର୍ବ ରାଜ୍ୟ ମଣିପୁରରୁ ଆରମ୍ଭ ହୋଇ ମହାରାଷ୍ଟ୍ରର ମୁମ୍ବାଇରେ ଏହି ଯାତ୍ରା ଶେଷ ହେବ। ୧୪ଟି ରାଜ୍ୟର ପ୍ରାୟ ୮୫ଟି ଜିଲ୍ଲା ଦେଇ ରାହୁଲ୍‌ ଗାନ୍ଧୀଙ୍କର ଏହି ଯାତ୍ରା ଚାଲିବ। ‘ଭାରତ ନ୍ୟାୟ ଯାତ୍ରା’ରେ ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ତେବେ ଓଡ଼ିଶାର କେଉଁ ସ୍ଥାନକୁ ରାହୁଲ ଆସବେ, ତାହା ସ୍ପଷ୍ଟ ହୋଇନାହିଁ। ମାତ୍ର ଏହି ନ୍ୟାୟ ଯାତ୍ରା ପୂର୍ବରୁ ଓଡ଼ିଶା ସଙ୍ଗଠନ ପୁର୍ନଗଠନ ଓ ଇଣ୍ଡିଆ ମେଣ୍ଟକୁ ସକ୍ରିୟ କରିବା ନେଇ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ଯଦି ଜାନୁୟାରୀ ଦ୍ୱିତୀୟ ସପ୍ତାହ ଶେଷ ସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଉ ନାହିଁ, ତେବେ ଏହା ପରେ କୌଣସି ପରିବର୍ତ୍ତନ ଆଶା କରାଯାଉନାହିଁ।  ନବନିଯୁକ୍ତ ଓଡ଼ିଶା ପିସିସି ପ୍ରଭାରୀ ଅଜୟ କୁମାର ଆସନ୍ତା ମାସ ୬ ତାରିଖରେ ଓଡ଼ିଶା ଆସିବେ ବୋଲି ଜଣାପଡିଛି। ମାତ୍ର ଏହା ପୂର୍ବରୁ କଂଗ୍ରେସ ପ୍ରତିଷ୍ଠା ଦିବସ ଉପଲକ୍ଷେ ନାଗପୁରରେ ଆୟୋଜିତ ସମ୍ମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ସେ ଦେଖା ହୋଇଥିବା ଜଣାପଡିଛି। ଏନେଇ ଖୋଦ୍ ପିସିସି ପକ୍ଷରୁ ସୂଚନା ଦିଆଯାଇଛି। କଂଗ୍ରେସର ବରିଷ୍ଠ ନେତା, ବିଧାୟକଙ୍କ ସମେତ ସାମ୍ପ୍ରଦାୟିକତା ବିରୋଧି ଏବଂ ଧର୍ମନିରପକ୍ଷ ନେତାଙ୍କ ସହ ଫୋନ୍ ଯୋଗେ ସୌଜନ୍ୟମୂଳକ ଆଲୋଚନା କରିଛନ୍ତି। ଓଡ଼ିଶା ଗସ୍ତ ପୂର୍ବରୁ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗୋଷ୍ଠୀର ଏକ ପ୍ରତିନିଧି ଦଳ ତାଙ୍କୁ ଜାମସେଦପୁର ଯାଇ ଭେଟିଥିବା ଜଣାପଡ଼ିଛି। ଏଆଇସିସି ପ୍ରଭାରୀ ପରିବର୍ତ୍ତନ କରି ସାରିଥିବାରୁ ସଭାପତି ପରିବର୍ତ୍ତନ ହେବ କି ନାହିଁ, ସେ ନେଇ ଦ୍ୱନ୍ଦ୍ୱ ମଧ୍ୟ ରହିଛି। ହେଲେ କଂଗ୍ରେସ ସାମାଜିକ ନ୍ୟାୟ କାର୍ଯ୍ୟସୂଚୀରେ ବାରମ୍ବାର ବିଫଳ ହୋଇଥିବାରୁ ବହୁଜନ ବର୍ଗର ପ୍ରତିନିଧିତ୍ୱ ପାଇଁ ବିଚାରବିମର୍ଶ କରୁଛି। ଏକଦା କଂଗ୍ରେସ ଭଲ ପ୍ରଦର୍ଶନ କରୁଥିବା କୋରାପୁଟ, ନବରଙ୍ଗପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଳାହାଣ୍ଡି, ସୁନ୍ଦରଗଡ଼, ବରଗଡ଼ ଲୋକସଭାରେ ଭୋଟ ହାର ହ୍ରାସ ପାଉଛି। ସାମ୍ପ୍ରତିକ ନେତୃତ୍ୱ ଦ୍ୱାରା ଏହି ସବୁ ଅଞ୍ଚଳରେ ଭୋଟ ପ୍ରତିଶତ ବୃଦ୍ଧି ପାଇବ, ସେ ବିଶ୍ୱାସ ନାହିଁ। ତେଣୁ ସଙ୍ଗଠନ ଓ ସମଭାବାପନ୍ନ ଦଳ ସହ ସମନ୍ୱୟକୁ ଅଗ୍ରାଧିକାର ଦିଆଯିବ ବୋଲି ସୂତ୍ରରୁ ପ୍ରକାଶ।

Leave a Reply

Your email address will not be published. Required fields are marked *