ଗୋପାଳପୁରରେ ଗୋପବନ୍ଧୁଙ୍କୁ ଖୋଜା ଚାଲିଛି…କ’ଣ ପାଇଁ ଏ ନୀରବତା..

ବ୍ରହ୍ମପୁର: ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଏବେ ଗୋପବନ୍ଧୁ ଦାଶଙ୍କ ଖୋଜା ପଡ଼ିଛି। ଗତ ଅକ୍ଟୋବର ପ୍ରଥମ ସପ୍ତାହ ପରଠୁ ଆଉ ତାଙ୍କୁ ଦେଖିବାକୁ ମିଳୁନି। ଏକଦା ଏହି ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ସର୍ବେସର୍ବା ହୋଇଥିବା ଗୋପବନ୍ଧୁ ହଠାତ୍‌ ଉଭାନ ହୋଇଯିବାକୁ ନେଇ ନାନା କଥା ଶୁଣିବାକୁ ମିଳୁଛି। ଏପରିକି ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ କିମ୍ବା ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କ ଗୋପାଳପୁର ଗସ୍ତ ବେଳେ ମଧ୍ୟ ଗୋପବନ୍ଧୁ ଅନୁପସ୍ଥିତ ଥିଲେ। ବର୍ତ୍ତମାନ ବ୍ରହ୍ମପୁରର ନେତାମାନେ ଗୋପାଳପୁରରେ ଅନୁପ୍ରବେଶ କରିବା ପରେ ସ୍ଥାନୀୟ କର୍ମୀ ଏବଂ ନେତାଙ୍କ ଭିତରେ ଗୋପବନ୍ଧୁ ଖୋଜା ପଡ଼ିଲେଣି। କାରଣ ସେ ଦାୟିତ୍ୱରେ ଥିବା ସମୟରେ ନେତୃତ୍ବ ନେବା ପାଇଁ ସ୍ଥାନୀୟ ନେତାଙ୍କୁ ସୁଯୋଗ ଦିଆଯାଉଥିଲା। ଏପରିକି ଗତ ପଞ୍ଚାୟତ ନିର୍ବାଚନ ଏବଂ ପୌର ନିର୍ବାଚନ ସମୟରେ ପ୍ରାର୍ଥୀ ଚୟନ ଠାରୁ ପ୍ରଚାର ପର୍ଯ୍ୟନ୍ତ, ସମସ୍ତ ଦାୟିତ୍ୱ ନେଇଥିଲେ ଗୋପବନ୍ଧୁ। ଦଳ ଏକତରଫା ଜିତିଥିଲା। ଯେଉଁମାନେ ନିର୍ବାଚନରେ ବିଜୟ ହୋଇଛନ୍ତି ଏବଂ ଆମଦାନୀ ନେତାଙ୍କ ଦ୍ୱାରା ଅବହେଳିତ ହେଉଛନ୍ତି, ସେମାନେ ଗୋପବନ୍ଧୁଙ୍କୁ ପୁଣି ଥରେ ଫେରାଇ ଆଣିବାକୁ ଦାବି କରୁଥିବା ଲକ୍ଷ୍ୟ କରାଯାଉଛି।

          ଅପରପକ୍ଷରେ ଗୋପବନ୍ଧୁଙ୍କ ଅନୁପସ୍ଥିତିରେ ଗୋପାଳପୁର ବିଜେଡ଼ିରେ ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଛି। ଗତ ଡିସେମ୍ବର ୧୦ ତାରିଖରେ ଗଞ୍ଜାମ ଜିଲା ବିଜେଡ଼ିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଗୋପାଳପୁର ଠାରେ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଅନେକ ସ୍ଥାନୀୟ ନେତା ଏହି କାର୍ଯ୍ୟକ୍ରମକୁ ଗଲେ ନାହିଁ। ଏପରିକି ଅନ୍ୟ କେତେ ଜଣ କାର୍ଯ୍ୟକ୍ରମ ଅଧାରୁ ସେଠାରୁ ଫେରି ଆସିଲେ। କେବଳ ଏହି ଗୋଟିଏ କାର୍ଯ୍ୟକ୍ରମ ନୁହଁ, ବରଂ ବ୍ରହ୍ମପୁର ନେତାଙ୍କ ମାତ୍ରାଧିକ ଅନୁପ୍ରବେଶ ଯୋଗୁ ଗୋପାଳପୁର ବିଜେଡ଼ି ନେତାଙ୍କ ଭିତରେ ଅସନ୍ତୋଷ ସୃଷ୍ଟି ହେଲାଣି। ସେହିଭଳି ଗୋପାଳପୁର ଦାୟିତ୍ବରେ ଥିବା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଗସ୍ତ ବେଳେ ବହୁ ସ୍ଥାନୀୟ ନେତା ଅନୁପସ୍ଥିତ ରହୁଛନ୍ତି।  ମୋଟ ଉପରେ ଗୋପାଳପୁରରେ ବିଜେଡି ଏକ ପ୍ରକାର ନେତୃତ୍ୱଶୂନ୍ୟ ହୋଇପଡ଼ିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଅନୁରୂପ ଭାବେ ବିଜେଡିର ପ୍ରତିଷ୍ଠା ଦିବସ ପୂର୍ବରୁ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ଏହା ଗୋପାଳପୁର ପାଇଁ ସ୍ଥାନୀୟ ନେତା ତଥା ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ପୌରହିତ୍ୟରେ ହୋଇଥିଲା। ମାତ୍ର ଏହି ବୈଠକକୁ ନିର୍ବାଚନମଣ୍ଡଳୀର ୨୫ଟି ଗ୍ରାମ ପଞ୍ଚାୟତର ବିଜେଡି ସମର୍ଥିକ ସରପଞ୍ଚ ଯାଇ ନ ଥିଲେ। ଜାଣିଶୁଣି ସଂଘବଦ୍ଧ ଭାବେ ଅନୁପସ୍ଥିତ ରହିଥିଲେ। ସ୍ଥାନୀୟ ସ୍ତରରେ ଏହି କଥାଟି ଜୋରରେ ଆଲୋଚନା ହୋଇଥିଲା। ଧିରେ ଧିରେ ରାଜ୍ୟସ୍ତରରେ ଏହି କଥା ଆଲୋଚନା ହେଲାଣି। ବିକ୍ରମ ପଣ୍ଡା ମାମଲାତିକୁ ବିରୋଧ କରି ଏପରି କରାଯାଇଥିବା ସ୍ଥାନୀୟ ନେତାମାନେ ମତ ରଖିଛନ୍ତି। ଗୋପବନ୍ଧୁ ଦାୟିତ୍ୱ ନେବା ପରେ ପୂର୍ବତନ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର କିଛି ଦିନ ଗୋପାଳପୁରରେ ବୁଲାବୁଲି କଲେ। କିନ୍ତୁ ସିଏ ମଧ୍ୟ ଆଉ ଆସୁନାହାନ୍ତି। ସ୍ଥାନୀୟ କର୍ମୀଙ୍କ ଭିତରେ ସେ ଗ୍ରହଣୀୟ ନ ହେବା ଫଳରେ ସିଦ୍ଧାନ୍ତଙ୍କୁ ଗୋପାଳପୁରରୁ ଦୂରେଇ ଦେଲା ଶଙ୍ଖ ଦଳ। ଏବେ ବିକ୍ରମଙ୍କ କ୍ଷେତ୍ରରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଦଳର ଆଭିମୁଖ୍ୟ କ’ଣ ରହିବ, ତାହାକୁ ନେଇ ଗୋପାଳପୁରରେ ଉତ୍କଣ୍ଠା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *