ଜଗତସିଂହପୁର ଜିଲ୍ଲା ବିଜେଡିରେ ଅସନ୍ତୋଷ ବାନ୍ଧୁଛି ଦାନା, ସହ ପ୍ରଭାରୀ,-ନିର୍ବାଚନମଣ୍ଡଳଓ୍ୱାରୀ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି

ଭୁବନେଶ୍ୱର : ବିଜେଡି ଅପେକ୍ଷାକୃତ ଭଲ ସ୍ଥିତିରେ ରହିଥିବା ଜଗତସିଂହପୁର ଜିଲ୍ଲାରେ ନିର୍ବାଚନମଣ୍ଡଳୀଓ୍ୱାରୀ ସହ ପ୍ରଭାରୀ ଓ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ଉପରକୁ ସଙ୍ଗଠନ ଠିକ୍ ଠାକ୍ ଥିଲେ ବି ପୂର୍ବ ଭୋଟ ହାର ହ୍ରାସ ପାଇବାର ଆଶଙ୍କା ରହିଥିବା ବିଜେଡିର ସର୍ଭେକ୍ଷଣ ଟିମ୍ ରିପୋର୍ଟ ଦେଇଛି। ସବୁ ଆସନରେ ଏକାଧିକ ଆଶାୟୀ ଏବଂ ଅନ୍ୟ ଦଳରୁ ନେତା ଆମଦାନୀ ଚର୍ଚ୍ଚା ଜୋର ଧରିଛି। କେତେକ ବିଧାୟକଙ୍କ ଲୋକପ୍ରିୟତା ହ୍ରାସ ପାଇଥିବା ବେଳେ କେତେକ ବ୍ୟକ୍ତିଗତ କାରଣରୁ ବଦନାମ୍ ହୋଇଛନ୍ତି। ତେଣୁ ସ୍ଥିତି ବହୁଳ ଭାବେ ବଦଳୁଥିବା ଅନୁଭବ କରି ବିଜେଡି ପ୍ରାକ୍ ରଣନୀତି ସ୍ୱରୂପ ଛୋଟିଆ ସାଙ୍ଗଠନିକ ନିଯୁକ୍ତି କରିଛି।

ଜଗତସିଂହପୁର ବିଧାନସଭା ଆସନରେ ବିଧାୟକ ପ୍ରଶାନ୍ତ ମୁଦୁଲଙ୍କ ଅନୁଗତ ରହିଛନ୍ତି। ସେହିପରି ଅମରେନ୍ଦ୍ର ଦାସଙ୍କ ସହ ଯୁବ ଓ ଛାତ୍ର ସମେତ ବିଷ୍ଣୁ ଦାସଙ୍କ ପୁରୁଖା କର୍ମୀମାନେ ରହିଛନ୍ତି। ଏହା ବାଦ୍ ଦଳୀୟ ସମର୍ଥକ ରହିଛନ୍ତି। କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ବିଜେଡି ଆସିବା ନେଇ ଏକ ଚର୍ଚ୍ଚା ରାଜଧାନୀରୁ ଆରମ୍ଭ କରି ଜଗତସିଂହପୁର ମୁଖ୍ୟାଳୟ ପର୍ଯ୍ୟନ୍ତ ରହିଛି। ଏଯାଏଁ କଂଗ୍ରେସ ତାଙ୍କ ଉପରୁ ନିଲମ୍ବନ ଉଠାଯାଇନାହିଁ। ଅନୁରୂପ ଭାବେ ପାରାଦୀପ ଆସନରେ ସମ୍ବିତ ରାଉତରାୟଙ୍କ ଗୋଷ୍ଠୀ ସକ୍ରିୟ ରହିଛି। ଏହି ଆସନ ଉପରେ ଦେବାଶିଷ ସାମନ୍ତରାୟଙ୍କ ନଜର ମଧ୍ୟ ରହିଛି। ଜିଲ୍ଲା ସଙ୍ଗଠନରେ ପ୍ରଶାନ୍ତ ମୁଦୁଲି ସକ୍ରିୟ ହେବା ପରେ ପାରାଦୀପରେ ତାଙ୍କ କେତେକ ଅନୁଗତ ମଧ୍ୟ ରହିଛନ୍ତି। ତିର୍ତ୍ତୋଲରେ ରାଜଶ୍ରୀ ମଲ୍ଲିକ-ବିଜୟ ଶଙ୍କର ଦାସଙ୍କ ବିବାଦ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ଚର୍ଚ୍ଚିତ ବାଲିକୁଦା-ଏରସମା ଅଞ୍ଚଳରେ ରଘୁନନ୍ଦନ ଦାସ, ଉମେଶ ସ୍ୱାଇଁ, ପ୍ରଶାନ୍ତ ମୁଦୁଲିଙ୍କ ଭିନ୍ନ ଗୋଷ୍ଠୀ ରହିଛି। ତେଣୁ ନିର୍ବାଚନ ଯେତିକି ପାଖେଇବ, ଟିକେଟ୍ ପାଉ ନ ଥିବା ଗୋଷ୍ଠୀଙ୍କ ରାଜନୈତିକ କାର୍ଯ୍ୟକଳାପ ବିଜେଡି ମୁଣ୍ଡବିନ୍ଧାର କାରଣ ହେବ। ଏହି ଖବର ଲେଖାବେଳକୁ ଜଗତସିଂହପୁରର ଜଣେ ଯୁବ ନେତା ତାଙ୍କର ନିଜସ୍ୱ ସମର୍ଥକମାନଙ୍କୁ ନେଇ ବୈଠକ କରିବା ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡିଛି। ଜିଲ୍ଲା ସହ ପ୍ରଭାରୀ ଭାବେ ଗିରୀଶ ଦାସଙ୍କୁ ନିଯୁକ୍ତ କରାଯାଇଛି। କିଛିବର୍ଷ ପୂର୍ବରୁ ସେ ପୁରୀ ସଦର ଦାୟିତ୍ୱରେ ଥିଲେ। ସେହିପରି ଅନ୍ୟ ନିର୍ବାଚନଗୁଡ଼ିକ ପାଇଁ ମୀନକେତନ ଅମାତ, ମନୋଜ କୁମାର ନାୟକ, ସୋଲାର ମିଶ୍ର ଏବଂ ଡକ୍ଟର ସନ୍ତୋଷ ବେଜଙ୍କୁ ଯଥାକ୍ରମେ ବାଲିକୁଦା,ଜଗତସିଂହପୁର, ତିର୍ତ୍ତୋଲ ଏବଂ ପାରାଦୀପ ଦାୟିତ୍ୱ ଦିଆଯାଇଛି।
