ବ୍ରହ୍ମପୁର ଲୋକସଭା କିମ୍ବା ଏହା ଅଧିନର କୌଣସି ବିଧାନସଭା ପାଇଁ ସ୍ପଷ୍ଟ ସଙ୍କେତ ଦେଲେନି ନବୀନ
ଭୁବନେଶ୍ୱର : ରାଜ୍ୟର ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ନେଇ ବିଜେଡି ଶିବିରରେ ତତ୍ପରତା ପ୍ରକାଶ ପାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ନବୀନ ନିବାସରେ ସମୀକ୍ଷା କରିଛନ୍ତି। ଆଜି ପ୍ରଥମେ ବ୍ରହ୍ମପୁର ଓ ଆସ୍କା ଲୋକସଭା କ୍ଷେତ୍ରର ସମୀକ୍ଷା କରାଯାଇଥିଲା। ବ୍ରହ୍ମପୁର ଲୋକସଭା କ୍ଷେତ୍ର ନେଇ ବିଜେଡିର ସମୀକ୍ଷା ଶେଷ ହେବାପରେ ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଥିଲେ। ସେ କହିଥିଲେ ଯେ, ବ୍ରହ୍ମପୁର ଲୋକସଭା କ୍ଷେତ୍ର ଅଧିନରେ ଥିବା ସମସ୍ତ ବିଧାନସଭା ଆସନ ନେଇ ଆଲୋଚନା ହୋଇଛି। ସବୁ ନିର୍ବାଚନମଣ୍ଡଳୀରେ କିଭଳି ବିଜୟ ହେବ ସେନେଇ ଆଲୋଚନା କରାଯାଇଛି। ସବୁ ଆସନରେ ୨୦୨୪ ନିର୍ବାଚନ ଜିତିବା ପାଇଁ ମିଳିମିଶି କାମ କରିବାକୁ ପରାମର୍ଶ ଦିଆଯାଇଛି ବୋଲି ଶ୍ରୀ ନାୟକ କହିଥିଲେ। ଦୁଇଦିନ ପୂର୍ବରୁ ପୁରୀ ଜିଲ୍ଲା ଆଶାୟୀମାନଙ୍କୁ ଯେପରି ଗ୍ରୀନ୍ ସିଗନାଲ ପ୍ରଦାନ କରାଯାଇଥିଲା। ତାହା ବ୍ରହ୍ମପୁର କ୍ଷେତ୍ରରେ ଦେଖାଯାଇନାହିଁ। କାହାକୁ କେଉଁ ସ୍ଥାନରୁ ପ୍ରାର୍ଥୀ କରାଯିବ, ତାହା କୁହାଯାଇନାହିଁ। ସମସ୍ତେ ଖୁବ୍ ଶୀଘ୍ର କଲସେଣ୍ଟର ଖୋଲି ରାଜ୍ୟ ସରକାରଙ୍କ ହିତାଧିକାରୀଙ୍କ ଠାରୁ ମତାମତ ସଂଗ୍ରହ କରିବା ପାଇଁ କୁହାଯାଇଛି। ମେଣ୍ଟ ନେଇ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା ହୋଇ ନ ଥିବାରୁ କିଛି ଆଶାୟୀ ଦଳ ଛାଡିପାରନ୍ତି ବୋଲି ବିଜେଡି ନେତୃତ୍ୱ ଆଶଙ୍କା କରୁଛି।