ବିଜେଡିର ନିଦ ହଜାଇ ଦେଉଛି ବୁଥ ବାହୁଡ଼ା ମତ
ଭୁବନେଶ୍ୱର- ସାଧାରଣ ନିର୍ବାଚନ ନ ସୁରୁଣୁ ଜାତୀୟ ଗଣମାଧ୍ୟମ ଗୁଡ଼ିକର ବୁଥ୍ ବାହୁଡ଼ା ମତ ବିଜେଡି ଶିବିରକୁ ଚିନ୍ତାଗ୍ରସ୍ତ କରାଇଛି। ପୂର୍ବଭଳି ଚଳିତ ଥର ଲୋକସଭାରେ ବିଜେପି ଭଲ କରିବ ବୋଲି ପ୍ରାୟ ସମସ୍ତ ଗଣମାଧ୍ୟମ ଆକଳନ କରିଛନ୍ତି। ମାତ୍ର ଜାତୀୟ ଗଣମାଧ୍ୟମ ଗୁଡ଼ିକ ବିଜେଡିର ବିଧାନସଭା ଆସନ ନେଇ ଏତେଟା ଦେଖାଇ ନ ଥାନ୍ତି। ପ୍ରଥମ ଥର ପାଇଁ ଓଡ଼ିଶାର ବିଧାନସଭା ନେଇ ଏକ ଚକିତ କରିଲା ଭଳି ବୁଥ୍ ବାହୁଡ଼ା ମତ ଆସିଛି। ଇଣ୍ଡିଆ ଟୁଡେ ଗ୍ରୁପ୍ ପକ୍ଷରୁ ରବିବାର ରାତିରେ କରାଯାଇଥିବା ଏକ ସର୍ଭେକ୍ଷଣରେ ଉଭୟ ବିଜେଡି ଓ ବିଜେପିକୁ ସମାନ ସଂଖ୍ୟକ ଆସନ ଓ ପାଖାପାଖି ଭୋଟ ପ୍ରତିଶତ ପ୍ରଦାନ କରାଯାଇଛି। ପୂର୍ବରୁ ଏପରି ସର୍ଭେକ୍ଷଣ କଦାପି ସାର୍ବଜନୀନ ହୋଇନାହିଁ। ଏହି ସର୍ଭେକ୍ଷଣରେ ଉଭୟ ବିଜେଡି ଓ ବିଜେପିକୁ ୪୨ ପ୍ରତିଶତ ଭୋଟ ମିଳିବ ବୋଲି ଆକଳନ କରାଯାଇଛି । ଏଥିସହ ୬୦ ରୁ ୮୨ ଆସନ ପ୍ରଦାନ କରାଯାଇଛି। ଯଦି ଏହା ସତ୍ୟ ହୁଏ, ତେବେ ନବୀନ ପଟ୍ଟନାୟକ ଷଷ୍ଠଥର ପାଇଁ ଶପଥ ନେବା ସମ୍ଭବ ହେବନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି।