ଅର୍ଥନୀତି ସମ୍ପର୍କିତ ବିଭ୍ରାନ୍ତିକର ତଥ୍ୟ ଠାରୁ ଦୂରେଇ ରୁହନ୍ତୁ

ଭୁବନେଶ୍ୱର : (ରଙ୍ଗା ଚରଣ ପ୍ରଧାନ)-ଏବେ ଯଦି ଜଣେ ବିରୋଧୀ ଦଳର କର୍ମୀ କେଉଁଠି ମାଇକ୍ ଧରି ଭାଷଣ ଦେବ, ସ୍ବାଭାବିକ ଭାବେ ସେ ତ ମୋଦୀ ସରକାର ବିରୁଦ୍ଧରେ କହିବ । ହୁଏତ ସେ ଦରି ବିଛାଇ କିଛି ଗ୍ରାମବାସୀଙ୍କୁ ବସାଇ ସେଠାରେ ଲୋକଙ୍କୁ ବର୍ତମାନର ଆର୍ଥିକ ଅବସ୍ଥା ବିଷୟରେ କହିବ ।

ସେତିକିବେଳେ ଶ୍ରୋତାଙ୍କ ମଧ୍ୟରୁ ଜଣେ କହିବ , ‘ କ’ଣ କହୁଛନ୍ତି ଆଜ୍ଞା ? ମୋଦୀଙ୍କ ଯୋଗୁଁ ଭାରତ ପଞ୍ଚମ ଦେଶରୁ ଜାପାନକୁ କାଟି ଚତୁର୍ଥ ହୋଇଗଲା । ଏବେ ତୃତୀୟ ହେବାକୁ ଯାଉଛି ।
ଆଉ ଆପଣ କହୁଛନ୍ତି ମୋଦୀ ଦେଶର ଅର୍ଥନୀତିକୁ ବରବାଦ କରିଦେଲ ? ଆପଣ ମିଛ କହୁଛନ୍ତି ।’

ଏକଥା ଶୁଣି କର୍ମୀ ଜଣକ କହିବ,’ ନାଇଁ ନାଇଁ , ଆପଣ ଭୁଲ୍ ଶୁଣିଛନ୍ତି । ଭାରତ ଏ ପର୍ଯ୍ୟନ୍ତ ଚତୁର୍ଥ ବୃହତମ ଇକୋନୋମୀ ହୋଇନାହିଁ । ଭାରତ ଏପର୍ଯ୍ୟନ୍ତ ଜାପାନକୁ କାଟି ନାହିଁ ।’

ସେ ଲୋକଟି ହୁଏତ ଟିକେ ଉତକ୍ଷୀପ୍ତ ହୋଇ କହିବ ‘ କ’ଣ ମିଡ଼ିଆ ଭୁଲ୍ କୁହେ ? କ’ଣ ଅର୍ଗସ ଭୁଲ୍ କହୁଛି ? କ’ଣ ଓଟିଭି ଭୁଲ୍ କହୁଛି ? କ’ଣ ମନୋରଞ୍ଜନ ମିଶ୍ରଙ୍କ ନିଉଜରୁମ୍ ଭୁଲ୍ କହୁଛି ? କ’ଣ ସମ୍ବାଦ ଭୁଲ୍ ଲେଖିଛି ? ଏତେ ସବୁ ମିଡ଼ିଆ ଭୁଲ୍ କହୁଛନ୍ତି, ଆଉ ଆପଣ ଓ ଆପଣଙ୍କ ପାର୍ଟି ଖାଲି ସତ କହୁଛି ? ‘

ଲୋକଟି ଏମିତି କହିବା ସ୍ବାଭାବିକ କଥା । ତିନି ତୁଣ୍ଡରେ ଛେଳି କୁକୁର । ସେ ନେତା ପୁଣି ବୁଝାଇ କହିବ ‘ ଆକଚୁଆଲି, ନୀତି ଆୟୋଗର ଅରବିନ୍ଦ ଭିର୍ମାନୀ ପର ଦିନ ଏକଥା ଖଣ୍ଡନ କରିଛନ୍ତି ।’

ଲୋକଟି ଉତ୍ତର ଦେବ ‘ କୋଉ ଭିର୍ମାନୀକୁ ମୁଁ ଜାଣି ନାହିଁ । କାଇଁ କନକ ନ୍ୟୁଜ୍ ତ ଏକଥା କହୁନି ? ‘

ଗତ କିଛି ବର୍ଷ ଧରି ନିଉଜ୍ ଚ୍ୟାନେଲମାନେ ଲଗାତର ବଡ଼ ବଡ଼ କଞ୍ଚା ମିଛ କହି ଚାଲିଛନ୍ତି । ଏକ ସ୍ବରରେ କହି ଚାଲିଛନ୍ତି । ଯିଏ ବି କହିନାହିଁ, ସେ ଅନ୍ୟ ଚ୍ୟାନେଲର ମିଛକୁ ମିଛ ବୋଲି କହୁ ନାହିଁ । ଏଇଟା କେବଳ ଧାରଣା ବା perception ର କଥା ନୁହେଁ । ଏହା ୨ + ୨ = ୪ ଭଳି ସିଧା ସିଧା ଅଙ୍କର କଥା । ଏଥିରେ ଦୁଇଟି ମତ କେମିତି ରହିବ ? ଏଥିରେ ଜଣେ ସାମ୍ବାଦିକ ନିରପେକ୍ଷତା ଦେଖାଇ ଭିନ୍ନ କଥା କେମିତି କହିବ ?

ତେଣୁ ବନ୍ଧୁଗଣ , ପ୍ରଶ୍ନ ନିରପେକ୍ଷତାର ନୁହେଁ । ପ୍ରଶ୍ନ ହେଉଛି ସତ୍ୟବାଦୀତାର । ପ୍ରଶ୍ନ ହେଉଛି ବିଶ୍ବାସର । ମୁଁ ବଡ଼ ବଡ଼ ଟିଭି ଚ୍ୟାନେଲର ସାମ୍ବାଦିକଙ୍କୁ ଦେଖୁଛି କାର୍ ରେ ବସି ଭୁବନେଶ୍ବରରେ ଚକ୍କର କାଟୁଛନ୍ତି । ଏମାନେ ବଡ଼ ବଡ଼ ଲୋକଙ୍କ ଠାରୁ ବାଇଟ୍ ନେଉଛନ୍ତି । ସେମାନଙ୍କୁ ଦେଖି ମୁଁ ଭାବେ । ଧିକ୍ ତମ ଜୀବନ । ଧିକ୍ ତମ ପ୍ରଫେସନ । ଲୋକଙ୍କୁ ମିଛ କହି ପଇସା କମଉଛ । ଶୁଣୁଛି ଆଙ୍କରମାନେ ମାସକୁ ମାସ ଲକ୍ଷାଧିକ ଟଙ୍କାର ଦରମା ପାଉଛନ୍ତି । ମିଛ କହିବା ପାଇଁ । ମିଛ କହି ଲୋକଙ୍କ ବିଶ୍ବାସରେ ବିଷ ମିଶାଇବା ପାଇଁ । ଦେଶର ଆର୍ଥିକ ଅବସ୍ଥା ବିଷୟରେ ଲୋକଙ୍କୁ ଭୁଲ୍ ତଥ୍ୟ ଦେବା ପାଇଁ । ବିରୋଧୀ ଦଳଙ୍କୁ ହରାଇବା ପାଇଁ ।

ମୁଁ ୧୯୭୪/୭୫ ମସିହାରୁ ଖବରକାଗଜ ପଢି ଆସିଛି । ଆଗରୁ କେବେ ଏମିତି ହୋଇ ନଥିଲା । ଯେତେବେଳେ ଦୂରଦର୍ଶନ ଏକମାତ୍ର ଚ୍ୟାନେଲ ଥିଲା, ସେତେବେଳେ ତାହା ନିରପେକ୍ଷ ନଥିଲା ସତ, କିନ୍ତୁ ଏମିତି ଡାହା ମିଛ କେବେ କହୁ ନଥିଲା । ଏବେ ସମସ୍ତେ ମିଶି ଏକ ସ୍ବରରେ ମିଛ କହୁଛନ୍ତି । ସାମ୍ବାଦିକ ଭାବୁଛି ମାଲିକର ଚ୍ୟାନେଲ , ତେଣୁ ମାଲିକ ପାପ ମୁଣ୍ଡାଇବ ‌। ସେ ବୁଝୁ ନାହିଁ ଯେ ମାଲିକ ତାକୁ ଲକ୍ଷାଧିକ ଟଙ୍କା ଦରମା ଦେଉଛି ଏଇ ମିଛ କହିବା ପାଇଁ । ତା ଭିତରେ ତିଳେ ମାତ୍ର guilty feeling ନାହିଁ । ବାଇଗଣ ଦୋକାନୀ ବାଇଗଣ ବିକିବା ବେଳେ କହୁଛି ଟିକେ ପୋକା ଅଛି , ଦେଖିକି ନିଅ । କିନ୍ତୁ ଏମାନେ ମିଛ କହିବା ତାଙ୍କ ଡ୍ୟୁଟି ବୋଲି ଭାବି ନେଇଛନ୍ତି ।

କମ୍ପାନୀ ରିସିପସନିଷ୍ଟ ଆଠ ଘଣ୍ଟା ଆଗନ୍ତୁକଙ୍କୁ ଠିକ୍ ସୁଚନା ଦେଇ ଘରକୁ ଆସୁଛି । ଜଣେ ଆକାଉଣ୍ଟାଣ୍ଟ କାଳେ ବାଲାନ୍ସ ସିଟ୍ ଭୁଲ୍ ହୋଇଯିବ , ସେଥିପାଇଁ କଡା ପରିଶ୍ରମ କରୁଛି । ଅଫିସ୍ ୫ଟାରେ ବନ୍ଦ ହେଲେ ବି ସେ ରାତି ୮ଟା ପର୍ଯ୍ୟନ୍ତ ଅଫିସରେ କାମ କରୁଛି । ଜଣେ ସିକୁରିଟି ଗାର୍ଡ ୧୨ ଘଣ୍ଟା ସତର୍କ ରହି ଡ୍ୟୁଟି କରୁଛି । କିନ୍ତୁ ଏମାନେ ମିଛ କହିବା ପାଇଁ ଡ୍ୟୁଟି କରୁଛନ୍ତି । କେମିତି ଜନତାଙ୍କୁ ଚୁ** ବନାଇବା ପାଇଁ ଷ୍ଟୋରି ତିଆରି ହେବ , ତାହା ହିଁ ଦେଖିବା ଏମାନଙ୍କ ଡ୍ୟୁଟି ।‌

କମାଲ ହୋ ଗୟା । ପ୍ରଥମ ପୃଷ୍ଠାରେ ନାଲି ରଙ୍ଗ ଓ ବଡ ଅକ୍ଷରରେ ଯାହା ଲେଖିଲେ ତାହା ଥିଲା ମିଛ । ନୀତି ଆୟୋଗ ସିଇଓ ଯଦି କହିଲେ , ହେଡଲାଇନରେ ରହିଲା ନାହିଁ ଯେ ନୀତି ଆୟୋଗ ସିଇଓ କହିଛନ୍ତି ।

ମୁଁ ଯଦି ଆପଣଙ୍କୁ କହିବି ଇଣ୍ଡିଆ ଜିତିଗଲା , ଆପଣ ତ ନିଶ୍ଚୟ ପଚାରିବେ ନା ? କାହାଠୁ ଜିତିଲା ? କେତେ ରନ୍ ରେ ଜିତିଲା ? କେଉଁ ଦଳ କେତେ ରନ୍ କରିଥିଲା ?

କିନ୍ତୁ ଏମାନେ କିଛି କାହାକୁ ପଚାରିଲେ ନାହିଁ । ନୀତି ଆୟୋଗ ସିଇଓଙ୍କ କଥା ସହିତ ନିଜ ଆଡୁ ଏକ ପୁରୁଣା ହିସାବ ଯୋଡ଼ି , କିଏ ଆଗ ଲୋକଙ୍କୁ ମିଛ ଖବର ଦେବ ସେଥିପାଇଁ ପ୍ରତିଯୋଗିତା ଆରମ୍ଭ କରିଦେଲେ ।‌ ମୁଁ ତ ଏପର୍ଯ୍ୟନ୍ତ ଦେଖିନି ସୋସିଆଲ ମିଡିଆରେ କୈାଣସି ବରିଷ୍ଠ ସାମ୍ବାଦିକଙ୍କୁ ଏ ବିଷୟରେ ସତ ଲେଖିଥିବାର କିମ୍ବା ମିଛକୁ ଖଣ୍ଡନ କରିବାର ।

ଏମାନଙ୍କର ଏକ ପୁରୁଣା ଯୁକ୍ତି ହେଉଛି , ଯେହେତୁ ଉଭୟ ଆଡୁ ମୋତେ ସମାଲୋଚନା ହେଉଛି, ତେଣୁ ମୁଁ ନିରପେକ୍ଷ ଓ ଭଲ ସାମ୍ବାଦିକ ।

ଆହା ! କି ସୁବିଧାଜନକ ଯୁକ୍ତି ! ଆଜ୍ଞା ଆପଣ ତ ଜନତାଙ୍କୁ ମିଛ କହି ତାଙ୍କୁ ଧୋକା ଦେଲେ, ତାଙ୍କ ପକ୍ଷ ନେଲେ ନାହିଁ, ନିରପେକ୍ଷ ଆଉ ହେଲେ କେଉଁଠି ? ଆପଣ ନିରପେକ୍ଷ ନୁହନ୍ତି । ଆପଣ ଯାହାକୁ ନିରପେକ୍ଷତା କହୁଛନ୍ତି , ସେଇଟା ହେଉଛି କେବଳ ଦୁଇଟି ଦଳଠାରୁ ସମଦୁରତା । କିନ୍ତୁ ସତ୍ୟ ଠାରୁ ବହୁଦୁରତା ।

ଗତ ତିନି ଚାରି ଦିନ ହେଲା ମୁଁ ବୁଝିବାକୁ ଚେଷ୍ଟା କରୁଛି ଏମିତି କେମିତି ହେଉଛି । ଭାରତ ଅର୍ଥନୀତିରେ ପଞ୍ଚମ କିମ୍ବା ଚତୁର୍ଥ କିମ୍ବା ତୃତୀୟ ସ୍ଥାନରେ ରହି ଥାଇ ପାରେ । ଏହା ମଝି ମଝିଆ ଦଶମିକ ସ୍ଥାନରେ ତ ନୁହେଁ ନା ? ଏତେ ସ୍ପଷ୍ଟ କଥାକୁ ନେଇ କେମିତି confusion ରହି ପାରିବ ? ହୁଏତ ଇଣ୍ଡିଆ ଟୁଡେ ନବୀନବାବୁଙ୍କୁ ୧ ନମ୍ବର ମୂଖ୍ୟମନ୍ତ୍ରୀ ବୋଲି ବାଛିବା କେତେଗୁଡ଼ିଏ ଧାରଣା ଆଧାରରେ ହୋଇଥିବ । ହୁଏତ ନବୀନଙ୍କ ସଫଳତା ଦିଗରେ ବେଶି ମାର୍କ ଦିଆ ଯାଇଥିବ ଓ ବିଫଳତାକୁ କମ୍ ମାର୍କ ଦିଆ ଯାଇଥିବ । ପୁଣି ଇଣ୍ଡିଆ ଟୁଡେ ଏକ ପ୍ରାଇଭେଟ୍ ସଂସ୍ଥା । ତେଣୁ ଇଣ୍ଡିଆ ଟୁଡେ ନବୀନଙ୍କୁ ଏକ ନମ୍ବର ମୂଖ୍ୟମନ୍ତ୍ରୀ କହିବାରେ ଅନେକଙ୍କର ଅସହମତି ରହିଥିଲା । କିନ୍ତୁ ସରକାରଙ୍କ ଜିଡିପି ସଂଖ୍ୟାକୁ ନେଇ ଦୁଇଟି ମତ କେମିତି ରହିବ ?
ସବୁ ଚ୍ୟାନେଲ ଓ ସବୁ ଖବରକାଗଜ କେମିତି ଏକା ସ୍ବରରେ ମିଛ ହେଡଲାଇନ୍ କଲେ ?

ମୋର ଖାଲି ଗୋଟିଏ ସିମ୍ପୁଲ୍ ପ୍ରଶ୍ନ,

ଭାରତ ଚତୁର୍ଥ ବୃହତମ ଇକୋନୋମି ହୋଇଗଲା ବୋଲି ଆଇଏମଏଫ କେବେ କହିଲା ?

ଏଇଟା ସେଇ ଭାରତ ନୌସେନା କରାଚୀ ବନ୍ଦର ଧ୍ବଂସ କରିବା ଭଳି ନୁହେଁ କି ?

ମୁଁ କେବଳ ଏତିକି ଜାଣିବାକୁ ଚାହେଁ, ଆଇଏମଏଫ କେବେ କହିଲା ? କ’ଣ ଶୁକ୍ରବାର ଦିନ କହିବାରୁ ନୀତି ଆୟୋଗ ସିଇଓ ଶନିବାର ଦିନ ବ୍ରେକିଂ ନ୍ୟୁଜ୍ ଦେଲେ ?

ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଲେଖିଛନ୍ତି ଜିଡିପିକୁ ମୁଣ୍ଡପିଛା ଆୟ ସହିତ ତୁଳନା କରନ୍ତୁ ନାହିଁ , କାରଣ ମୁଣ୍ଡପିଛା ଆୟ ଏକ ବଡ଼ କଥା ନୁହେଁ, ବରଂ ଜିଡିପି ହେଉଛି ଦେଶର ମୋଟ ସମ୍ପତ୍ତି ଯାହା ଏକ ବଡ଼ କଥା ।

ମୋର ମନେ ଅଛି , ଅଧିକାଂଶ ଚାଟାର୍ଡ ଆକାଉଣ୍ଟାଣ୍ଟ ନୋଟବନ୍ଦୀର ବହୁତ ଫାଇଦା ଗଣେଇଥିଲେ । ମୋର ସେହି ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ପ୍ରଶ୍ନ, ଆପଣ ଯେତେବେଳେ ଗୋଟିଏ କମ୍ପାନୀର ବାଲାନ୍ସ ସିଟ୍ ଦେଖନ୍ତି, ସେତେବେଳେ କ’ଣ କେବଳ ସମ୍ପତ୍ତି ବା ଆସେଟ୍ ସାଇଡ୍ ଦେଖନ୍ତି ? ଲାଏବଲଟି ସାଇଡ୍ ଦେଖନ୍ତି ନାହିଁ ? ଜିଡିପି ଯଦି ହେଲା ଦେଶର ମୋଟ ସମ୍ପତ୍ତି, ତାହେଲେ ଲୋକସଂଖ୍ୟା କ’ଣ ଲାଏବଲିଟି ନୁହେଁ ?

ତେବେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ କଥା ଛାଡ଼ନ୍ତୁ । ମୋର କେବଳ ଗୋଟିଏ ଛୋଟିଆ ପ୍ରଶ୍ନ : ଆଇଏମଏଫ କେବେ କହିଲା ଭାରତ ଚତୁର୍ଥ ବୃହତମ ଅର୍ଥନୀତି ହୋଇଗଲା ? କେତେ ତାରିଖରେ ?

ମୁଁ ଭାବୁଛି ଏ ପ୍ରଶ୍ନର ଉତ୍ତର ଦେଇ ପାରିବେ ଆମ ଓଡ଼ିଶାର  ମହାନ ମିଡ଼ିଆ ସଂସ୍ଥା  ମହାନ୍ ଆଇଏମଏଫ କରେସପଣ୍ଡେଣ୍ଟ ।

Leave a Reply

Your email address will not be published. Required fields are marked *