ଜମୁଛି ରାଜନୈତିକ ର‍୍ୟାଲି ରାଜନୀତି.. ମୋଦି…ନବୀନ..ରାହୁଳ… କାହା କାର୍ଯ୍ୟକ୍ରମ ଥିଲା କେମିତି….?

ଭୁବନେଶ୍ୱର : ସାଧାରଣ ନିର୍ବାଚନ-୨୦୨୪ ସରିବାର ବର୍ଷେ ପୂରିଲାଣି। ରାଜ୍ୟ ରାଜନୀତିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଇତି ମଧ୍ୟରେ ଶାସକ ବିଜେପି ଏକାଧିକ ଥର ତାହାର ଶକ୍ତି ପ୍ରଦର୍ଶନ କରିସାରିଛି। ଅନୁରୂପ ଭାବେ ବିଜେଡି ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଉଛି। କଂଗ୍ରେସ ମଧ୍ୟ ଏକାଧିକ ଥର ରାଜରାସ୍ତାକୁ ଓହ୍ଲାଇଲାଣି। ତେବେ କାହାର କାର୍ଯ୍ୟକ୍ରମ କିପରି, ତାହାକୁ ନେଇ ସାଧାରଣରେ ବିଭିନ୍ନ ମତ ପ୍ରକାଶ ପାଉଛି।

ପ୍ରଥମେ ବିଜେପି କଥା ଆଲୋଚନା କରାଯାଉ। ବିଜେପି ଜିତିବା ପରେ ଶପଥ ଗ୍ରହଣ ସମାରୋହ। ସୁଭଦ୍ରା ଯୋଜନାର ଶୁଭାରମ୍ଭ ଏବଂ ବର୍ଷ ପୂରାଣିରେ ଏକାଧିକ କାର୍ଯ୍ୟକ୍ରମ କରିଥିଲା। ନିକଟରେ ଭୁବନେଶ୍ୱରଠାରେ ମଧ୍ୟ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମାତ୍ର ସାଧାରଣ ନିର୍ବାଚନ ସମୟ ଓ ଏହା ପୂର୍ବରୁ ବିଜେପି-ନରେନ୍ଦ୍ର ମୋଦିଙ୍କ ପ୍ରତି ଥିବା କ୍ରେଜ୍ ହ୍ରାସ ପାଇବା ପରିଲକ୍ଷିତ ହୋଇଥିଲା। ଏହାକୁ ପିଏମଓ ମଧ୍ୟ ସ୍ୱୀକାର କରିବା ସହ ରାଜ୍ୟ ନେତୃତ୍ୱକୁ ତାଗିଦ୍ କରିଥିଲା। ତେଣୁ ବିଜେପିର ସରକାର-ସାଙ୍ଗଠନିକ କାର୍ଯ୍ୟ ଉତ୍ସାହଜନକ ନ ଥିଲା ପରି ରାଜନୈତିକ ମହଲରେ ଆଲୋଚିତ। ଅନୁରୂପ ଭାବରେ ବିଜେଡି ଓ୍ୱାକଫ୍ ପ୍ରସଙ୍ଗରେ ଆରଏସଏସ୍-ବଜରଙ୍ଗ ଦଳ-ବିଶ୍ୱ ହିନ୍ଦୁ ପରିଷଦ ବିଚାରଧାରା ସହ ରହିବାକୁ ଶ୍ରେୟ ମଣିଲେ। ଦରବୃଦ୍ଧି, ସାମାଜିକ ନ୍ୟାୟ ପ୍ରସଙ୍ଗରେ ଦୁଇ ଥର ରାସ୍ତାକୁ ଓହ୍ଲାଇଥିଲା। ଏହି କାର୍ଯ୍ୟକ୍ରମ ଟିକେ କର୍ମୀଙ୍କୁ ସକ୍ରିୟ କରିଥିଲା। ପରେ ନବୀନଙ୍କୁ ଚିକିତ୍ସା ପାଇଁ ମେଲାଣି ସମୟରେ ଓ ଆଗମନ ସମୟରେ ଭିଡ଼ ହୋଇଥିଲା। ମାତ୍ର ଏସବୁ ଜନମାନସକୁ ଏତେ ପ୍ରଭାବିତ କରିପାରିଲା ନାହିଁ। ଏବେ କଂଗ୍ରେସ କଥା ଦେଖିବା। ନୂଆ ନେତୃତ୍ୱ ପରେ ନାରୀ ନ୍ୟାୟ ସମାବେଶରେ କିଛିଟା ସକ୍ରିୟତା ଦେଖିବାକୁ ମିଳିଥିଲା। କଂଗ୍ରେସ ଗଣମାଧ୍ୟମରେ ପୂର୍ବାପେକ୍ଷା ନିଜର ଅଧିକ ଉପସ୍ଥିତି ଜାହିର କରି ପାରୁଛି। ଦିନକ ତଳେ ହୋଇଥିବା ର‍୍ୟାଲି କିନ୍ତୁ ପୂର୍ବ ଦଳଗୁଡ଼ିକ ଅପେକ୍ଷା ସ୍ୱତଃପୂର୍ତ୍ତ ରହିଥିଲା। ବିଜେଡି ବର୍ଷକ ମଧ୍ୟରେ ପୂର୍ବ ଚମକ ହରାଇଛି। ବିଜେପି ସରକାରୀ କଳ ବ୍ୟବହାର କରି ମଧ୍ୟ ସ୍ୱତଃ ପ୍ରବୃତ୍ତ ଭିଡ଼ କରାଇ ପାରିନାହିଁ। ମାତ୍ର ଅଢ଼େଇ ଦଶନ୍ଧି ଧରି ରାଜ୍ୟରେ ଏବଂ ଏକ ଦଶନ୍ଧି ଧରି କେନ୍ଦ୍ରରେ କ୍ଷମତା ନ ଥାଇ କଂଗ୍ରେସ ଭୁବନେଶ୍ୱରରେ ଯେଉଁ ଭିଡ଼ କରିଥିଲା, ତାହାକୁ ଅଣଦେଖା କରିହେବ ନାହିଁ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।

ବସ୍ତି ନେତା ଅନାମ ମଲ୍ଲିକଙ୍କ କହିବାନୁଯାୟୀ ବିଜେଡି ଓ ବିଜେପି ର‍୍ୟାଲି ପାଇଁ ଗାଡ଼ି ଭଡ଼ା ଓ ଖାଇବା ସହ ମୁଣ୍ଡ ପିଚ୍ଛା ଟଙ୍କା ଆସିଥିଲା। ହେଲେ କଂଗ୍ରେସ ର‍୍ୟାଲିରେ ସେପରି ନ ଥିଲା। ଭିନ୍ନ ସ୍ଥାନରୁ ଦଳୀୟ ଖର୍ଚ୍ଚରେ ଖାଇବା ଓ ଯିବା ବ୍ୟବସ୍ଥା ହୋଇଥିଲା। କିଛି ଶ୍ରମ ଭିତ୍ତିକ କାର୍ଯ୍ୟ ପାଇଁ ମଜୁରୀ ଆକାରରେ କିଛି ଅର୍ଥ ମିଳି ଥିଲା। ଏଇ କିଛି ମଧ୍ୟରେ ନବୀନଙ୍କ ମୁମ୍ବାଇ ଯିବା ଓ ମୋଦିଙ୍କ ଭୁବନେଶ୍ୱର ଆସିବା ଦିନ ମୁଣ୍ଡପିଛା ୬୦୦ ଟଙ୍କା ଖର୍ଚ୍ଚ କରାଯାଇଥିବା ଶ୍ରୀ ମଲ୍ଲିକ କହିଥିଲେ। ଦିନ ବେଳା ନବୀନଙ୍କ ର‍୍ୟାଲି ପାଇଁ ୨୦୦ ଟଙ୍କା ଏବଂ ମୋଦିଙ୍କ ର‍୍ୟାଲି ପାଇଁ ୪୦୦ ଟଙ୍କା ମିଳିଥିବା ସେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *