ଖଣି ମାଫିଆଙ୍କୁ ଟାର୍ଗେଟ କଲେ କଂଗ୍ରେସ ପ୍ରଭାରୀ ଅଜୟ କୁମାର, ପ୍ରେସ୍ ମିଟରେ ନ ଥିଲେ ନିରଞ୍ଜନ ପଟ୍ଟନାୟକ..

ଭୁବନେଶ୍ୱର : ଓଡ଼ିଶା ଖଣିଜ ସମ୍ପଦରେ ସମୃଦ୍ଧ। ମାତ୍ର ଏଠି ଶତାବ୍ଦୀର ସବୁଠୁ ବଡ଼ ଖଣି ଦୁର୍ନୀତି ହୋଇଥିଲା। ଶାହା କମିସନ ପ୍ରାୟ ୫୦,୦୦୦ କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଥିବା ରିପୋର୍ଟ ପ୍ରଦାନ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଏହି ୫୦,୦୦୦କୋଟି ଟଙ୍କାର ଦୁର୍ନୀତିକୁ ୧୮,୦୦୦ କୋଟି ଟଙ୍କାରେ ସୀମିତ କରାଯାଇଥିଲା। ଚାଷୀଙ୍କୁ ଉଚିତ ମୂଲ୍ୟ ମିଳୁନାହିଁ। ଅଥଚ ଖଣି ମାଫିଆଙ୍କୁ ଏତେ ଏତେ ଟଙ୍କାର ଛାଡ କଣ ପାଇଁ କରାଯାଉଛି ବୋଲି କଂଗ୍ରେସ ପ୍ରଭାରୀ ଅଜୟ କୁମାର କହିଛନ୍ତି। କଂଗ୍ରେସ ଭବନ ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଶ୍ରୀ କୁମାର ଏହା କହିଛନ୍ତି।

ଏଠାରେ ଉଲ୍ଲେଖ ଥାଉ କି, ସରଜମିନ ଓ ପ୍ରଶାସନିକ ନଥିପତ୍ର ତଦନ୍ତ କରିବା ପରେ ଓଡ଼ିଶାରେ ପ୍ରାୟ ଦୁଇ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହୋଇଥିବା କହିଥିଲେ l ଏହା ପରେ ତରବରିଆ ଭାବେ ରାଜ୍ୟ ସରକାର ୬୮,୦୦୦ କୋଟି ଜରିମାନା ଜାରି କରିଦେଲେ l ଏହା ପରେ ପୁଣି ସରକାର ଓ ଖଣି ମାଫିଆ ମାନେ ସୁପ୍ରିମ କୋର୍ଟର ଦ୍ବାରସ୍ଥ ହେଲେ l ଏହାକୁ ଅତି ଚତୁରତାର ୧୮,୦୦୦ କୋଟି ଟଙ୍କା କରି ଦିଆଗଲା l ଏହି ଜରିମାନା ମଧ୍ୟପୂର୍ଣ୍ଣ ଭାବେ ରାଜ୍ୟ ରାଜକୋଷକୁ ଆସି ପାରି ନାହିଁ l

ଅଜୟ କୁମାର ଆହୁରି କହିଥିଲେ ଯେ, ବିଜେପି-ବିଜେଡି ଉତ୍ତମ ବୁଝାମଣା ହୋଇସାରିଛି। ତାଙ୍କୁ ଦିଲ୍ଲୀ ଦରକାର, ୟାଙ୍କୁ ଭୁବନେଶ୍ୱର ଦରକାର। ବିଜେପି ୧୫ଟି ଲୋକସଭାରେ ଜିତିବାକୁ ଚାହୁଁଛି। ଏହି ସବୁ ଆସନରେ ବିଜେଡି ଦୁର୍ବଳ ପ୍ରାର୍ଥୀ ଦେବ। ବିଜେଡି ମାତ୍ର ୬ଟି ଆସନରେ ପ୍ରକୃତରେ ଲଢିବ। ବିଧାନସଭାରେ ବିଜେପି, ବିଜେଡିକୁ ଭିତରିଆ ସମର୍ଥନ କରିବ। କେନ୍ଦ୍ରୀୟ ସଂସ୍ଥା ଇଡି, ସିବିଆଇ, ଆୟକର ବିଭାଗ ଓଡ଼ିଶା ଆସୁନାହିଁ। ନବୀନ ପଟ୍ଟନାୟକଙ୍କୁ ସୁରକ୍ଷା ଦେଉଛି। ଏହା ପରୋକ୍ଷରେ ମୋଦିଙ୍କୁ ମଧ୍ୟ ସୁରକ୍ଷା ଦେଉଛି। ଚୋରକୁ ସୁରକ୍ଷା ଦେଉଥିବା ଲୋକ ବହୁତ ଦୋଷୀ। ତେଣୁ ରାଜ୍ୟରେ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରରେ ମୋଦି ସବୁ ପ୍ରଶାସନିକ ଭୁଲ୍ ପାଇଁ ଦାୟୀ ବୋଲି ଶ୍ରୀ କୁମାର କହିଥିଲେ। ଓଡ଼ିଶାରୁ ସବୁଠୁ ଅଧିକ ଲୋକ ଦାଦନ ଖଟିବାକୁ ଯାଉଛନ୍ତି। ଖଣି ମାଫିଆ ଏ ରାଜ୍ୟରେ ଅଧିକ ସକ୍ରିୟ। ଆବଶ୍ୟକତା ଠାରୁ ଅଧିକ ଖଣି ଖନନ କରାଯାଉଛି। ନବୀନ ପଟ୍ଟନାୟକ ଖଣି ମାଫିଆଙ୍କ ଠାରୁ ଟଙ୍କା ନେଉଛନ୍ତି। ଓଡ଼ିଶାରେ ବାହାର ଲୋକଙ୍କ ପ୍ରଭାବ ବହୁତ ବଢିଗଲାଣି। ମୋଦି-ନବୀନ ଗୋଟିଏ ଚେହେରା। ଓଡ଼ିଶା ଓଡ଼ିଆ ଲୋକଙ୍କ ଦ୍ୱାରା ଶାସିତ ହେବା ଆବଶ୍ୟକ ବୋଲି ଶ୍ରୀ କୁମାର କହିଥିଲେ। ସେ ଆଗାମୀ ତିନି ମାସରେ ଓଡ଼ିଶାକୁ ଫୋକସ୍ କରିବେ। ଏଥିପାଇଁ ଝାଡଖଣ୍ଡରେ ନିର୍ବାଚନ ଲଢିବେ ନାହିଁ ବୋଲି କୁମାର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *