କେଉଁ ପ୍ରସଙ୍ଗ ନେଇ ନବୀନ ଲୋକଙ୍କ ପାଖକୁ ଯିବେ…ଦଳ ରାଜନୈତିକ ନିଷ୍ପତ୍ତି ସ୍ଥିର କରିଛି କି…..

ଭୁବନେଶ୍ୱର : ଅପ୍ରତ୍ୟାଶିତ ଭାବେ ଗତ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ହୋଇଛି। ଏହା ପରେ ପରାଜୟର ବ୍ୟବଚ୍ଛେଦ ହେବା କଥା। ତାହା ମଧ୍ୟ ହେଲା ନାହିଁ। ଭିକେ ପାଣ୍ଡିଆନଙ୍କ ରାଜନୈତିକ ଅବସର ମଧ୍ୟ ଆଜି ରହସ୍ୟାବୃତ। ଦଳର କିଛି ପ୍ରମୁଖ ନେତାଙ୍କୁ ବାଦ୍ ଦେଇ ପରାଜିତ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ  ହୋଇଛି ବିଜୁ ଜନତା ଦଳର ରାଜ୍ୟସ୍ତରୀୟ ସମନ୍ୱୟ କମିଟି। ଏହି କମିଟିର ସଦସ୍ୟମାନେ ଦୁଇଦିନ ପୂର୍ବରୁ ସଭାପତି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଦଳୀୟ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ । ଦଳର କର୍ମୀ ଓ ତୃଣମୁଳ ସ୍ତରର ନେତାମାନଙ୍କୁ ଭେଟିବା ପାଇଁ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଗାମୀ ନଭେମ୍ୱର ମାସରୁ ସାରା ରାଜ୍ୟ ଗସ୍ତ କରିବେବୋଲି ଗଣମାଧ୍ୟମକୁ ଅବଗତ କରିଥିଲେ।

ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସାଙ୍ଗଠନିକ ପୁନର୍ଗଠନ ପାଇଁ ସଭାପତିଙ୍କୁ ପ୍ରସ୍ତାବ ଦେଇଥିଲେ । ଗଞ୍ଜାମ ଜିଲ୍ଲାକୁ ଦୁଇଟି ସାଙ୍ଗଠନିକ ଜିଲ୍ଲାରେ ପରିଣତ କରିବା ପାଇଁ ମଧ୍ୟ ସେମାନେ ପ୍ରସ୍ତାବ ଦେଇଥିଲେ । ଏହା ସହିତ ଦଳ ର ଛାତ୍ର ଯୁବ ମହିଳା ଆଦି ଛାମୁଆ ସଂଗଠନ କୁ ଗଠନ କରିବା ଓ ଅକ୍ଟୋବର ଦୁଇ ତାରିଖ ରୁ ମାସ ବ୍ୟାପୀ ପଦଯାତ୍ରା ଆରମ୍ଭ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ସାଧାରଣ ନିର୍ବାଚନ-୨୦୨୪ରେ ଶୋଚାନୀୟ ପରେ ବିଜୁ ଜନତ‌ା ଦଳ (ବିଜେଡି)ରେ ଜନ ଅସନ୍ତୋଷ ତେଜିଛି। ନେତା ଓ କର୍ମୀମାନେ  ଶୃଖଂଳାର ପରିସର ଭିତରେ ରହୁନାହାନ୍ତି। ପ୍ରତିଦିନ ଗଣମାଧ୍ୟମରେ  ଖୋଲା ମନ୍ତବ୍ୟ  ରଖୁଛନ୍ତି ବିଜେଡିର ବରିଷ୍ଠ ନେତା।  ଆଉ କିଏ ମମତାଙ୍କ ପରି ଦଳ ଛାଡି ପଦ୍ମ ପୋଖରୀକୁ ଯିବେ ନାହିଁ ତ। ସେ ଡ଼ର ସଦାସର୍ବଦା ବିଜେଡି ନେତୃତ୍ୱର ରହିଛି।  ନିର୍ବାଚନ ଦେଢ ମାସ ବିତଲାଣି, ହେଲେ ବିଜେଡିର ରାଜ୍ୟ ସ୍ତରୀୟ କମିଟି ଗଠନ ହୋଇପାରି ନାହିଁ। କମିଟିରେ କାହାକୁ ସ୍ଥାନ ମିଳିବ, ବିଭିନ୍ନ ମୋର୍ଚ୍ଚା (ମହିଳା, ଯୁବ, ଛାତ୍ର)ର ନେତୃତ୍ୱ କାହାର କାନ୍ଧରେ ରହିବ। ଏସବୁକୁ ନେଇ ଅନେକ ଦ୍ୱନ୍ଦ୍ୱ ରହିଛି । ତେଣୁ ନିଷ୍ପତ୍ତି ନେବାରେ ବିଳମ୍ୱ ହେଉଛି। ଗୁରୁବାର ବସିଥିବା ପ୍ରଥମ ସମନ୍ୱୟ କମିଟି ବୈଠକରେ ମଧ୍ୟ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଛି। ଗଂଜାମକୁ ଦୁଇଟି ସାଂଗଠନିକ ଜିଲ୍ଲା ଗଠନ ପାଇଁ ସୁପ୍ରିମୋଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ ଦଳର ବରିଷ୍ଠ ନେତା।

ମାତ୍ର ଅଢେଇ ଦଶନ୍ଧି ଧରି ଶାସନ କରିଥିବା ବିଜେଡି କେଉଁ ପ୍ରସଙ୍ଗରେ ଲୋକ ପାଖକୁ ଯିବ। ତାହା ସ୍ଥିର କରିପାରି ନାହିଁ। କେନ୍ଦ୍ର ଅବହେଳା, ସ୍ୱତନ୍ତ୍ର  ରାଜ୍ୟ ପାହ୍ୟା ମାନ୍ୟତା ଆଉ ପ୍ରସଙ୍ଗ ହୋଇନାହିଁ।  ବିକାଶ ରୂପକ ରାଜନୈତିକ ବାର୍ତ୍ତାକୁ ରାଜ୍ୟବାସୀ ପ୍ରତ୍ୟାଖ୍ୟାନ କରିସାରିଛନ୍ତି। କେନ୍ଦ୍ର ରାଜନୀତିରେ ମଧ୍ୟ ବିଜେଡି ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ। ଇଣ୍ଡିଆ ମେଣ୍ଟ କିମ୍ବା ଏନଡିଏ ମେଣ୍ଟରୁ ଯୋଗଦାନ କରିନାହିଁ। କେତେକ ପ୍ରସଙ୍ଗରେ ନୀତିଗତ ବିରୋଧ କରିଛନ୍ତି। ହେଲେ ଗତଥର ସଂସଦରେ ବିରୋଧୀ ଦଳ ସହ ମିଶି କୌଣସି ପ୍ରସଙ୍ଗରେ ଗୃହତ୍ୟାଗ କରୁ ନ ଥିଲେ। ବିରୋଧୀଙ୍କ ଠାରୁ ଅଲଗା ବୋଲି ଗଣମାଧ୍ୟମରେ ସ୍ପଷ୍ଟୀକରଣ ମଧ୍ୟ ଦେଇ ଆସୁଛନ୍ତି। ଯାହାକୁ ଇଣ୍ଡିଆ ମେଣ୍ଟର ନେତାମାନେ କହିଛନ୍ତି ଯେ, ବିଜେଡି ପାଖରେ ଦୁଇଟି ବିକଳ୍ପ। ଇଣ୍ଡିଆ ଏବଂ ଏନଡିଏ। ମତ ସ୍ପଷ୍ଟ କରିବାକୁ ପଡିବ। ଗାନ୍ଧୀବାଦ-ସମ୍ବିଧାନ ଗୋଟିଏ ପଟେ ଓ ଅନ୍ୟ ପଟେ ଗାନ୍ଧୀ ହତ୍ୟାକାରୀ ନାଥୁରାମ ଗଡ଼ସେଙ୍କ ବିଚାରଧାରା ସମର୍ଥକ ଥିବା ଦଳର ମେଣ୍ଟ। ତେଣୁ ଗାନ୍ଧୀ ଓ ଗଡସେଙ୍କ ଠାରୁ ସମଦୂରତ୍ୱ ଗଣତନ୍ତ୍ର ପ୍ରତି ବିପଦ। ତାଙ୍କୁ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ନିଷ୍ପତ୍ତି ନେବାକୁ ପଡିବ।

Leave a Reply

Your email address will not be published. Required fields are marked *