ଶେଷ ମୁହୂର୍ତ୍ତରେ ନଡ୍ଡା, ଧର୍ମେନ୍ଦ୍ର ଓହରିଲେ..ଆଗରୁ ନିଷ୍ପତ୍ତି ନେଇଥିଲେ ପରିପକ୍ୱ ପରିଚୟ ମିଳିଥାଆନ୍ତା…

ଭୁବନେଶ୍ୱର : ଏହି ଆଲେଖ୍ୟଟି ଲେଖା ହେଲା ବେଳକୁ ପ୍ରସ୍ତାବିତ କାର୍ଯ୍ୟକ୍ରମ ବଦଳି ଯାଇଥିବା କୁହାଯାଉଛି। ମାତ୍ର ପୂର୍ବପରି କଂଗ୍ରେସ ଓ ବିଜେଡି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମରେ ଯୋଗ ନ ଦେବା ପାଇଁ ଘୋଷଣା କରିସାରିଛନ୍ତି। ଘଟଣାଟି ଏହି ପରି ଓଡ଼ିଶା ବିଧାନସଭାର ନବ ନିର୍ବାଚିତ ବିଧାୟକମାନଙ୍କ ଏକ କର୍ମଶାଳା ଓଡ଼ିଶା ବିଧାନସଭାରେ ହେବାର ରହିଥିଲା। ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସରକାରୀ ଦଳ ପକ୍ଷରୁ ଆମନ୍ତ୍ରଣ କରାଯାଇଥିଲା। ସେହିପରି ସମାପନ ଉତ୍ସବରେ ବିଜେପିର ରାଷ୍ଟ୍ରୀୟ ସଭାପତି ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ମଧ୍ୟ ଡକାଯାଇଥିଲା। ଯାହାକୁ ନେଇ ବିବାଦର ଅୟଃ ଆରମ୍ଭ ହେଲା। ଗୃହର ସର୍ବୋଚ୍ଚ ପଦ ବାଚସ୍ପତି ସୁରମା ପାଢୀଙ୍କ ହାତରେ, ଅନୁରୂପ ଭାବେ ଗୃହର ନେତା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେଣୁ ଏହି ଦୁଇ ଜଣଙ୍କ ଦ୍ୱାରା ଶୁଭାରମ୍ଭ ଏବଂ ଉଦଯାପନୀ ହେବାରେ କିଛି ଅସ୍ୱାଭାବିକତା ନାହିଁ। ଏମାନଙ୍କ ବ୍ୟତିରକେ ଲୋକସଭାର ବାଚସ୍ପତି, ଉପବାଚସ୍ପତି କିମ୍ବା ପ୍ରଧାନମନ୍ତ୍ରୀ ଆସୁଥିଲେ କୌଣସି ଅସୁବିଧା ନ ଥିଲା। ମାତ୍ର ଏ ସମସ୍ତ ପଦ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ପଦରେ ନ ଥିବା ଧର୍ମେନ୍ଦ୍ର ପ୍ରଧାନ ଏବଂ ଜେପି ନଡ୍ଡାଙ୍କ ଯୋଗଦାନ ଖବରକୁ ବିଜେଡି ବିରୋଧ କରିଥିଲା। ବିଧାନସଭା ସମ୍ବଦ୍ଧୀୟ ବ୍ୟାପାର ତଥା ସଂସଦୀୟ ପରମ୍ପରା ଉପରେ ଜ୍ଞାନ ରଖୁଥିବା ଅନେକ ରାଜନେତା ଓ ବୁଦ୍ଧିଜୀବୀ ଶ୍ରୀ ପ୍ରଧାନ ଏବଂ ଶ୍ରୀ ନଡ୍ଡାଙ୍କ ଯୋଗଦାନ ନେଇ ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟ ବିଜେପି ରାଜନୀତିରେ ନିଜକୁ ପରିପକ୍ୱ ଶ୍ରେଣୀରେ ରଖୁଥିବା ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ କାର୍ଯ୍ୟକ୍ରମକୁ ଯିବା ଏବଂ ପରେ ଖବର ଅନୁଯାୟୀ ଏଥିରୁ ବିରତ ରହିବା ତାଙ୍କ ସମ୍ମାନଙ୍କୁ ହ୍ରାସ କରୁଥିବା ସମୀକ୍ଷକମାନେ ମତ ଦେଇଛନ୍ତି। ପୂର୍ବରୁ ସଂସଦୀୟ ପରମ୍ପରା ଓ ଅନେକ ସରକାରୀ କାମରେ ଧର୍ମେନ୍ଦ୍ର ନିଜର ଉପସ୍ଥିତ ବୁଦ୍ଧି ଓ ବ୍ୟବହାର ପାଇଁ ପ୍ରଶଂସା ସାଉଁଟି ଆସିଥିଲେ। ହେଲେ ଏହି କାର୍ଯ୍ୟକ୍ରମରେ ତାହାର ଟିକେ ଅଭାବ ରହିଲା।

କିଛିଦିନ ପୂର୍ବରୁ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ତାଙ୍କ ବ୍ୟବହାର ଅତ୍ୟନ୍ତ ପ୍ରଶଂସା ସାଉଁଟିଥିଲା। ସେଦିନ ମଞ୍ଚରେ ରାଷ୍ଟ୍ରପତି, ମୁଖ୍ୟ ବିଚାରପତି, ବାଚସ୍ପତି, ଉପ ମୁଖ୍ୟମନ୍ତ୍ରୀ , କେନ୍ଦ୍ର ମନ୍ତ୍ରୀ ଓ ରାଜ୍ୟର ଅର୍ଥ ମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନେ ରହିଥିଲେ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସେହି ସଭାକୁ ଯାଇଥିଲା। ପ୍ରୋଟୋକଲ୍ ଅନୁଯାୟୀ ତାଙ୍କୁ ଅର୍ଥ ମନ୍ତ୍ରୀ, ଶ୍ରୀପ୍ରଶାସନ କୌଣସି ଅଧିକାରୀ ସୌଜନ୍ୟମୂଳକ ଭାବେ ଡାକି ବସାଇବା କଥା। ହେଲେ ସେଦିନ ସେ ମଞ୍ଚ ତଳେ ସମସ୍ତଙ୍କୁ ନମସ୍କାର କରିଥିଲେ। ସମସ୍ତେ ଛିଡା ହୋଇ ତାଙ୍କୁ ପ୍ରତି ନମସ୍କାର ଜଣାଇଥିଲେ। ହେଲେ ଧର୍ମେନ୍ଦ୍ର ଘଟଣାଟିର ଉପସ୍ଥିତ ବୁଦ୍ଧି ଲଗାଇ ତଳକୁ ଆସି ଶ୍ରୀ ପଟ୍ଟନାୟକଙ୍କୁ ପାଛୋଟି ନେଇଥିଲେ। ତେଣୁ ସେଦିନ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଧାନସଭା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାକୁ ହଁ ଭରିଥିବା ଶ୍ରୀ ପ୍ରଧାନଙ୍କ ମଧ୍ୟରେ ଟିକେ ତ ପାର୍ଥକ୍ୟ ଅଛି।

Leave a Reply

Your email address will not be published. Required fields are marked *