ପାଣ୍ଡିଆନଙ୍କୁ ପ୍ରତି କଥାରେ ପ୍ରୋତ୍ସାହନ ଦେଇଥିବା ନବୀନ କାହିଁକି ତଦନ୍ତ ପରିସରଭୁକ୍ତ ହେବେ ନାହିଁ…………ବିଜେପି ନବୀନଙ୍କ ଉପରେ ଦୟା ଦେଖାଉଛି କି…

ଭୁବନେଶ୍ୱର : ଭିକେ ପାଣ୍ଡିଆନ ବିଜେଡିକୁ ବୁଡେଇ ଦେଲେ। ତାଙ୍କ ଯୋଗୁ ବିଜେଡି ନିର୍ବାଚନ ହାରିଲା। ତାଙ୍କ ଉପସ୍ଥିତି ଏବେ ବି ନବୀନ ନିବାସରେ ରହିଛି। ପରାଜୟର ବ୍ୟବଚ୍ଛେଦ ନ କରି ଅପେକ୍ଷାକୃତ ଦୁର୍ବଳ ଷ୍ଟିଅରିଂ କମିଟି ପଛରେ ଭିକେ ପାଣ୍ଡିଆନଙ୍କ ହାତ ରହିଛି ବୋଲି କୁହାଯାଉଛି। ସେହିପରି ସେ ବେଆଇନ ଭାବେ ବିମାନରେ ଉଡି ବୁଲିଛନ୍ତି। ଏହାର ତଦନ୍ତ ହେବ, ଏପରି ଏକ ବୟାନ ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା। ହେଲେ ପାଣ୍ଡିଆନ ବୁଲିବା ସମୟରେ ଯେତେବେଳେ ଏହି ପ୍ରଶ୍ନ ପଚରାଯାଇଥିଲା। ସେତେବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଭିଡିଓ ବାର୍ତ୍ତା ଛଡାଯାଇଥିଲା। ଏଥିରେ ସେ ପାଣ୍ଡିଆନଙ୍କୁ ଲୋକଙ୍କ ପାଖକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରାଜୟ ପରେ ଯେତେବେଳେ କିଛି ବିଜେଡି ସମର୍ଥକ ପାଣ୍ଡିଆନଙ୍କ ବିରୋଧରେ କହିଲେ, ସେତେବେଳେ ଜାତୀୟ ଗଣମାଧ୍ୟମରେ ଆସି ନବୀନ ପାଣ୍ଡିଆନଙ୍କୁ ସୁରକ୍ଷା ଦେଇଥିଲେ। ତେଣୁ ପାଣ୍ଡିଆନଙ୍କ ବୁଲା ଯଦି ତଦନ୍ତ ପରିସରଯୁକ୍ତ, ତେବେ ନବୀନ ପଟ୍ଟନାୟକଙ୍କ ସଂପୃକ୍ତିକୁ ନେଇ କାହିଁକି ପ୍ରଶ୍ନ କରାଯିବ ନାହିଁ। ଶାସକ ଭାବେ ମୁଖ୍ୟମନ୍ତ୍ରୀ କାହାକୁ ପଠାଇବେ, ଏହା ତାଙ୍କର ଇଚ୍ଛାଧିନ ବ୍ୟାପାର। ତେଣୁ ପାଣ୍ଡିଆନଙ୍କ ଉପରେ ବିଜେପିର ଆରୋପ ଅଛି, ସେଥିରୁ ନବୀନଙ୍କୁ ବାଦ୍ ଦିଆଯାଉଛି କାହିଁକି। ନବୀନଙ୍କ ବିନା ଅନୁମତିରେ ପାଣ୍ଡିଆନ ତାଙ୍କ ବ୍ୟକ୍ତିଗତ ସଚିବ, 5ଟି ସଚିବ କିମ୍ବା 5ଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇପାରିଥାନ୍ତି କି। ତେଣୁ ନବୀନ ପଟ୍ଟନାୟକ କାହିଁକି ତଦନ୍ତ ପରିସରଭୁକ୍ତ ହେବେ ନାହିଁ ବୋଲି ପ୍ରଶ୍ନ ଉଠିଛି।  

Leave a Reply

Your email address will not be published. Required fields are marked *