ଇଡି ଅଫିସ୍ ଘେରାଉ ସହ ପଥପ୍ରାନ୍ତ ସଭା କଲା ପ୍ରଦେଶ କଂଗ୍ରେସ
ଭୁବନେଶ୍ୱର : ସାଧାରଣ ନିର୍ବାଚନ ଫଳାଫଳ ପରେ ପ୍ରଦେଶ କଂଗ୍ରେସ ପ୍ରଥମ ଥର ପାଇଁ ଶକ୍ତି ପ୍ରଦର୍ଶନ କରିଛି। ଇଡି ଅଫିସ ଆଗରେ ଘେରାଉ କରିବା ସହ ଏକ ମଧ୍ୟମ ଧରଣର ପଥପ୍ରାନ୍ତ ସଭା ମଧ୍ୟ ଆୟୋଜିତ ହୋଇଯାଇଛି। ଷ୍ଟିଅରି କମିଟିର ସମସ୍ତ ସଦସ୍ୟଙ୍କ ସମେତ ବିଧାୟକ ଦଳ ଏହି ସଭାରେ ଉପସ୍ଥିତ ରହିଥିଲେ। କଂଗ୍ରେସ ନେତା ମହମ୍ମଦ ମୋକ୍କିମ ଏହି କାର୍ଯ୍ୟକ୍ରମର ସଂଯୋଜକ ରହିଥିଲେ। କୋରାପୁଟ ସାଂସଦ ସପ୍ତଗିରୀ ଉଲ୍ଲାକା ଅଦାନୀ କମ୍ପାନୀ କିପରି ଦେଶର ସମ୍ପତ୍ତିକୁ କିପରି ଲୁଟ୍ କରୁଛି, ସେ ନେଇ ମନ୍ତବ୍ୟ ରଖିଥିଲେ। ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଅଗଷ୍ଟ ମାସରେ ଅତୀତରେ ହୋଇଥିବା ସଫଳ କ୍ରାନ୍ତି ବଖଣିଥିଲେ। ଜୟଦେବ ଜେନା ତୃଣମୂଳ କଂଗ୍ରେସ କର୍ମୀଙ୍କ ମନରେ ଆଶାର ସଞ୍ଚାର ଭରିବା ପାଇଁ ମତପୋଷଣ କରିଥିଲେ। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ଇଭିଏମ୍ ବିଶ୍ୱସନୀୟତା ନେଇ ପ୍ରଶ୍ନ ଉଠାଇଥିଲେ। ବିନା ସଂରକ୍ଷଣରେ କୌଣସି ପ୍ରକାର ସରକାରୀ ପଦ ବିଜ୍ଞପ୍ତି ହେବାକୁ ବିରୋଧ କରିଥିଲେ। ରାଜ୍ୟର ବହୁଜନ ବର୍ଗ ଯଥା-ଏସସି, ଏସଟି ଓ ପଛୁଆବର୍ଗଙ୍କ ସାମ୍ବିଧାନିକ ସଂରକ୍ଷଣ ସ୍ଥିତି ନେଇ ଆଲୋଚନା କରିଥିଲେ। ରାଜରାସ୍ତାରେ ଉଚିତ ଲଢେଇ ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗାଦିଚ୍ୟୁଚ ହୋଇପାରିବେ ବୋଲି ଶ୍ରୀ ଜେନା କହିଥିଲେ।