BJP – TMC Friendship & Fight ବନ୍ଧୁରୁ ବଇରୀ ହେବାର ଯାତ୍ରା

ଭୁବନେଶ୍ୱର :(ଦେବେନ୍ଦ୍ର ଆଚାର୍ଯ୍ୟ)–
ମମତା ବାନାର୍ଜୀ ପ୍ରାୟ ୨୯ ବର୍ଷ ପୂର୍ବେ ୧୯୯୭ ମସିହାରେ କଂଗ୍ରେସ ଭାଙ୍ଗି ମୁକୁଲ ରୟଙ୍କ ସହ ମିଶି ତୃଣମୂଳ କଂଗ୍ରେସ (ଟିଏମସି) ଗଠନ କରିଥିଲେ, ସେତେବେଳେ ସେ CPM, CPI ଏବଂ କଂଗ୍ରେସକୁ ଶେଷ କରିବା ପାଇଁ ପଶ୍ଚିମବଙ୍ଗରେ ବିଜେପିକୁ ପ୍ରବେଶ କରାଇଥିଲେ l ମୁକୁଲ ରୟ ପରବର୍ତ୍ତୀ ସମୟରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ।
୧୯୯୯ ମସିହାରେ ମମତା ବାନାର୍ଜୀ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସରକାରରେ ସାମିଲ ହୋଇ ରେଳ ମନ୍ତ୍ରୀ ହୋଇଥିଲେ।
୨୦୦୧ ଆରମ୍ଭରେ ଯେତେବେଳେ ‘ଅପରେସନ ୱେଷ୍ଟ ଏଣ୍ଡ’ ଜରିଆରେ ପ୍ରତିରକ୍ଷା ଚୁକ୍ତିରେ ଲାଞ୍ଚ କାରବାରର ଏକ ବଡ଼ ମାମଲା ସାମ୍ନାକୁ ଆସିଲା, ସେତେବେଳେ ମମତା ବାନାର୍ଜୀ ଏନଡିଏ ସରକାରରୁ ଅଲଗା ହୋଇଯାଇଥିଲେ।ଅଗଷ୍ଟ ୨୦୦୧ରେ ବିବିସିକୁ ଦେଇଥିବା ଏକ ସାକ୍ଷାତକାରରେ ଯେତେବେଳେ ମମତା ବାନାର୍ଜୀଙ୍କୁ ପଚରାଗଲା ଯେ ତାଙ୍କ ଦଳର ଏନଡିଏକୁ ଫେରିବାର କୌଣସି ସମ୍ଭାବନା ଅଛି କି? ସେ ଉତ୍ତର ଦେଇଥିଲେ ହଁ, ଟିଏମସିର ଇସ୍ତାହାର ଅନୁଯାୟୀ ବିଜେପି ହେଉଛି ଆମର ‘ସ୍ୱାଭାବିକ ସହଯୋଗୀ’।
୨୦୦୩ରେ ମମତା ପୁଣି ଏନଡିଏ ସରକାରରେ ସାମିଲ ହେଲେ, କିନ୍ତୁ ଅନେକ ମାସ ଧରି ବିନା ବିଭାଗରେ ମନ୍ତ୍ରୀ ହୋଇ ରହିଲେ।
୨୦୦୩ରେ ମମତା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖପତ୍ର ‘ପାଞ୍ଚଜନ୍ୟ’ର ତତ୍କାଳୀନ ସମ୍ପାଦକ ତରୁଣ ବିଜୟଙ୍କ ଦ୍ୱାରା କମ୍ୟୁନିଷ୍ଟ ଆତଙ୍କବାଦ ଉପରେ ଲିଖିତ ପୁସ୍ତକର ଉନ୍ମୋଚନ ଉତ୍ସବରେ ଯୋଗ ଦେଇଥିଲେ। ତରୁଣ ବିଜୟ ତାଙ୍କୁ ‘ବଙ୍ଗଳାର ଦୁର୍ଗା’ କହି ସ୍ୱାଗତ କରିଥିଲେ। ଆରଏସଏସ ମଧ୍ୟ ମମତାଙ୍କୁ ‘ବଙ୍ଗଳାର ଦୁର୍ଗା’ ବୋଲି କହିଥିଲା ଏବଂ ବାମପନ୍ଥୀଙ୍କ ବିରୋଧରେ ତାଙ୍କର ଲଢ଼େଇକୁ ‘ଦୃଢ଼ ସମର୍ଥନ’ ଜଣାଇଥିଲା।
ମମତା ନିଜର ଏକ ଭାଷଣରେ ଆରଏସଏସର ମୋହନ ଭାଗବତ, ଶେଷାଦ୍ରି ଚାରି ଏବଂ ମଦନ ଦାସ ଦେବୀଙ୍କ କଥା ଉଲ୍ଲେଖ କରି କହିଥିଲେ, “ମୁଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବହୁତ ନେତାଙ୍କୁ ଜାଣିନାହିଁ, କିନ୍ତୁ ସେମାନଙ୍କ ମଧ୍ୟରୁ କିଛି ବ୍ୟକ୍ତିଗତ ଭାବେ ଭେଟିଛି। ଆପଣମାନେ ପ୍ରକୃତ ଦେଶପ୍ରେମୀ। ମୁଁ ଜାଣେ ଯେ ଆପଣ ନିଜ ଦେଶକୁ ସତ୍ୟରେ ଭଲ ପାଆନ୍ତି।”
୨୦୧୨ରେ ଆରଏସଏସର ମୁଖପତ୍ର ପାଞ୍ଚଜନ୍ୟ ମମତା ବାନାର୍ଜୀଙ୍କ ସରଳ ଜୀବନଶୈଳୀକୁ ପ୍ରଶଂସା କରି ଏକ ପ୍ରବନ୍ଧ ଲେଖିଥିଲା। ଏଥିରେ କୁହାଯାଇଥିଲା ଯେ “ମମତା ସେହି ବିରଳ ରାଜନେତାଙ୍କ ମଧ୍ୟରୁ ଜଣେ, ଯିଏ ରାଜନୀତିକୁ ଅର୍ଥ ରୋଜଗାର ପାଇଁ ବ୍ୟବହାର କରିନାହାଁନ୍ତି। କାଶ୍! ଦେଶକୁ ଏଭଳି ଅଧିକରୁ ଅଧିକ ରାଜନେତା ମିଳନ୍ତେ।”
୨୭ ଜାନୁଆରୀ ୨୦୨୦ରେ ଯେତେବେଳେ ବିଜେପି ସରକାରର ତତ୍କାଳୀନ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ନିଜ ଭାଷଣରେ ‘ଗୋଲି ମାରୋ ସାଲୋଁ କୋ’ ନାରା ଦେଇଥିଲେ, ସେତେବେଳେ ଟିଏମସି ନେତା ଶେଖ ଆଲାମ ସିଏଏ (CAA) ବିରୋଧରେ ପ୍ରଦର୍ଶନ କରୁଥିବା ଆନ୍ଦୋଳନକାରୀଙ୍କ ଉପରକୁ ମୁର୍ଶିଦାବାଦରେ ଗୁଳି ଚଳାଇଥିଲେ।
୨୦୧୭ରେ ବିଜେପିକୁ ଯାଇଥିବା ମୁକୁଲ ରୟ ୨୦୨୧ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସିକୁ ଫେରିଆସିଲେ ଏବଂ ମମତା ତାଙ୍କୁ ଖୁସିରେ ଗ୍ରହଣ କରିନେଲେ। ନିର୍ବାଚନ ସମୟରେ ମୁକୁଲ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ କହିଥିଲେ ଯେ ବିଜେପି ହେଉଛି ଟିଏମସି ସହ ସମାନ।(BJP is equals to TMC)
ଜୁଲାଇ ୨୦୨୨ରେ ଟିଏମସି ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳର ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ସମର୍ଥନ କରିବାକୁ ମନା କରିଦେଇଥିଲା। ପରବର୍ତ୍ତୀ ସମୟରେ ଟିଏମସି ସାଂସଦମାନେ ମତଦାନରେ ଅଂଶଗ୍ରହଣ କରିନଥିଲେ (Abstain)। ଜଗଦୀପ ଧନଖଡ଼ ଜିତିଗଲେ। ମମତା ସେହି ଧନଖଡ଼ଙ୍କୁ ସାହାଯ୍ୟ କଲେ, ଯିଏ ବଙ୍ଗଳାର ରାଜ୍ୟପାଳ ଥିବାବେଳେ ତାଙ୍କ ନାକେଦମ କରିଦେଇଥିଲେ।
ଏବେ ସେପ୍ଟେମ୍ବର ୨୦୨୨ରେ ମମତା ଆରଏସଏସକୁ ମନଖୋଲି ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ସଂଘରେ ଅନେକ ଭଲ ଲୋକ ଅଛନ୍ତି। ସଂଘ ଏକ ଭଲ ସଂଗଠନ।

Leave a Reply

Your email address will not be published. Required fields are marked *