ଓଡ଼ିଶା ବିଜେପି ନେତାଙ୍କୁ ମୋଦିଙ୍କ ପରାମର୍ଶ : ଲୋକଙ୍କ ଭାବନାକୁ ପଢ, ବୁଝାମଣା କଥା ମୁଣ୍ଡରୁ କାଢ..ପରିବର୍ତ୍ତନ ନିଶ୍ଚିତ ଥିଲେ..କିଏ ବା ରୋକିବ…

ଭୁବନେଶ୍ୱର :  ସାଧାରଣ ନିର୍ବାଚନ ଆସୁଛି। ତୃଣମୂଳରେ ମଜଭୁତ୍ ଭାବରେ ଲଢ। ରାଜନୀତିରେ କେତେବେଳେ କଣ ହେବ, ତାହା କାହାରିକୁ ବି ଜଣାନାହିଁ। ବିଜେଡି ସହ ବୁଝାମଣା କଥା ମୁଣ୍ଡରୁ କାଢ। ଓଡ଼ିଶାବାସୀ ଯଦି ବିଜେଡିକୁ ହରାଇବା ଚାହୁଁଥିବେ, ତେବେ ଆମକୁ ଲଢିବାରେ ଅସୁବିଧା କଣ। ଛତିଶଗଡ଼ରେ ହାରିଥିବା ବାଜି ଆମେ ଜିତିପାରିଲେ। ତେଣୁ ଆଗାମୀ ଲଢେଇ ଜିତିବା ପାଇଁ ଲଢ। ମୋର ଦୃଢ ବିଶ୍ୱାସ ଆମର ବିଧାନସଭା ଆସନ ସଂଖ୍ୟା ଅହେତୁକ ବୃଦ୍ଧି ପାଇବ। ଏହିପରି କେତେକ ବାକ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଗୁରୁବାର ସନ୍ଧ୍ୟାରେ ରାଜ୍ୟ ବିଜେପି ନେତାମାନଙ୍କୁ କହିଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ଦଳୀୟ ବିଧାୟକମାନଙ୍କୁ ନୂଆଦିଲ୍ଲୀ ଡ଼କାଇ ଶ୍ରୀ ମୋଦି ଏହି ମନ୍ତ୍ର ଦେଇଛନ୍ତି। ବିଜେପି ଜଣେ ଯୁବ ବିଧାୟକ କହିଛନ୍ତି ଯେ, ବିଜେଡ଼ିକୁ ବିଜେଡି ଭିତର ଲୋକ ହରାଇବାକୁ ଚାହୁଁଛନ୍ତି। ତେଣୁ ଆମକୁ ଅଳ୍ପ ପରିଶ୍ରମ କରିବାକୁ ପଡିବ। ବିଜେଡି କେବେ ବିରୋଧୀଙ୍କ ମେଣ୍ଟରେ ସାମିଲ ହୋଇପାରିବ ନାହିଁ। ତେଣୁ ବିଜେଡି ରାଷ୍ଟ୍ରୀୟ ମଞ୍ଚରେ ଏକାକୀ। ସାଧାରଣ ନିର୍ବାଚନ ସମୟରେ ସମସ୍ତଙ୍କ ଫୋକସ୍ ଲୋକସଭାରେ ରହିବ। ଏହି ସୁଯୋଗରେ ଆମକୁ ଲୋକସଭାର ଫଳାଫଳ ବିଧାନସଭାରେ ପ୍ରତିଫଳିତ କରିବାକୁ ପଡିବ ବୋଲି ମୋଦି କହିଛନ୍ତି। ଡିସେମ୍ବର ଗସ୍ତ ବିଶେଷ କାରଣରୁ ହୋଇ ପାରିଲାନାହିଁ। ମାତ୍ର ଜାନୁୟାରୀରୁ କେନ୍ଦ୍ରୀୟ ନେତାଙ୍କ ଘନଘନ ଓଡ଼ିଶା ଗସ୍ତ ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଜଣେ କେନ୍ଦ୍ର ମନ୍ତ୍ରୀ ଦେଇଥିବା ପରାମର୍ଶ ଆଧାରରେ ମୋଦି କହିଥିଲେ ଯେ, ବିଜେଡି ବିଦ୍ରୋହୀ ହିଁ ଆମର ଶକ୍ତି ହେବ। ଆମର ଭୋଟ ପ୍ରତିଶତ ଓ ଆସନ ବୃଦ୍ଧି ପାଇବ। କେତେକ ପ୍ରମୁଖ ବିଜେଡି ନେତା ନିଜ ଜିତିବାକୁ ହିଁ ଗୁରୁତ୍ୱ ଦେବେ। ସେମାନେ ନିର୍ବାଚନରେ ବଡ଼ ଢାଲ ହୋଇପାରିବେ ନାହିଁ। ଅନୁରୂପ ଭାବେ ରାଜ୍ୟ ସରକାର ପରିକ୍ରମା ପ୍ରକଳ୍ପକୁ ଗୁରୁତ୍ୱ ଦେଉଥିବା ବେଳେ ପ୍ରଧାନମନ୍ତ୍ରୀ ନିଜର ବିଭିନ୍ନ ସଭାରେ ଜୟ ଜଗନ୍ନାଥ କହି ସମ୍ବୋଧନ କରୁଛନ୍ତି। ତେଣୁ ବିଜେଡିର ପ୍ରତିଟି ଚାଲକୁ ସହଜରେ ବିଜେପି ନେଉନାହିଁ, ଏହା ତାହାର ସ୍ପଷ୍ଟ ସଙ୍କେତ ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି।

Leave a Reply

Your email address will not be published. Required fields are marked *