ମୋରଡ଼ା: ବିଜେଡି ଆଶାୟୀ ସାଜିଛନ୍ତି ତୃତୀୟ ମହଲା ମୁଣ୍ଡବିନ୍ଧାର କାରଣ

ମୋରଡ଼ା: ମୟୂରଭଞ୍ଜ ଜିଲ୍ଲାର ଅଣସଂରକ୍ଷିତ ବିଧାନସଭା ଆସନ ମୋରଡ଼ା ନେଇ ବିଜେଡି ନୂଆ ପ୍ରାର୍ଥୀ ଖୋଜୁଛି। ବର୍ତ୍ତମାନ ବିଧାୟକ ଥିବା ରାଜ କିଶୋର ଦାସଙ୍କୁ ପୁର୍ନବାର ପ୍ରାର୍ଥୀ କରିବାକୁ ଚାହୁଁନାହିଁ।  ତେଣୁ ସେଠାରେ ପ୍ରାର୍ଥୀ ଖୋଜା ଆରମ୍ଭ ହୋଇ ଗଲାଣି। ମୟୂରଭଞ୍ଜ ଜିଲ୍ଲାର ଲୋକସଭା ଏବଂ ଅଧିକାଂଶ ବିଧାନସଭାରେ ବିଜେଡି ପରାସ୍ତ ହୋଇଥିଲା। ତେଣୁ ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଆସନ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ରାଜ କିଶୋର ଦାସ ମୂଳତଃ ବିଜେଡି ନୁହଁନ୍ତି। ବିଜେପିରେ ଧର୍ମେନ୍ଦ୍ର ପ୍ରଧାନ ବିରୋଧୀ ବୋଲି ତାଙ୍କୁ ଗତଥର ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ କରାଯାଇଥିଲା। ପୁରୁଣା ଏବଂ ନିଜସ୍ୱ କର୍ମୀଙ୍କୁ ନେଇ ସେ ଚାଲି ପାରୁନାହାନ୍ତି। ତାଙ୍କ ବିରୋଧରେ ଏକ ଶାସକ ବିରୋଧୀ ହା୍ୱା ରହିଛି। ଏସବୁ ସତ୍ତ୍ୱେ ରାଜ କିଶୋରଙ୍କ ପତ୍ନୀ ମଧ୍ୟ ଟିକେଟ୍ ଆଶାୟୀ ରହିଛନ୍ତି। ବିଜେଡି ମହିଳା ମୋର୍ଚ୍ଚାର ସଦସ୍ୟା ପ୍ରୀତିନନ୍ଦା କାନୁନଗୋଙ୍କ ଗ୍ରହଣୀୟତା ମଧ୍ୟ ଏତେଟା ଉତ୍ସାହଜନକ ନୁହେଁ।  ଏହା ମଧ୍ୟରେ ମାଟିର ପୁତ୍ର ସ୍ଲୋଗାନ୍ ଦେଇ କୃଷ୍ଣଚନ୍ଦ୍ର ଦାସ ରାଜନୈତିକ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଗତଥର କୃଷ୍ଣଚନ୍ଦ୍ର ଦାସଙ୍କ ଭୋଟ ବିଜେପିକୁ ଯାଇଥିଲା। ସେ ଅନ୍ୟ ସ୍ଥାନରେ ସରୋଜିନୀ ହେମ୍ବମ୍ ଙ୍କ ପ୍ରଚାର ଦାୟିତ୍ୱରେ ରହିଥିଲେ। ଚଳିତ ଥର ଯଦି କେସି ଦାସଙ୍କୁ ପ୍ରାର୍ଥୀ ନ କରା ଯାଏ, ତେବେ ସେ ସ୍ୱାଧୀନ ଲଢିବେ ବୋଲି ଘୋଷଣା କରିସାରିଲେଣି।  ମୋରଡ଼ା ଓ ରାସଗୋବିନ୍ଦପୁରରେ ବିଜେଡି ଓ ବିଜେପି ସ୍ଥିତି ପ୍ରାୟତଃ ସମାନ ରହିଛି। ମାତ୍ର ସୂଳିଆପଡ଼ାରେ ବିଜେଡି ସ୍ଥିତି ଭଲ ରହିଥିବା ଜଣାପଡିଛି। ଅନୁରୂପ ଭାବେ ଦେବାଶିଷ ମହାନ୍ତି ଏବଂ ସମୀର ରାୟ ମଧ୍ୟ ବିଧାୟକ ଭାବେ ଲଢିବାକୁ ଆଗ୍ରହ ଅଛନ୍ତି।  ଏହି ଦୁଇ ପ୍ରାର୍ଥୀ ଆଠରୁ ଦଶ ହଜାର ଭୋଟକୁ ପ୍ରଭାବିତ କରିବାର କ୍ଷମତା ରଖୁଛନ୍ତି। ଅପରପକ୍ଷରେ ଏହି ଆସନରେ ବିଜେପିର ଭୋଟ ବୃଦ୍ଧି ପାଉଥିବା କେତେକ ସର୍ଭେକ୍ଷଣରୁ ଜଣାପଡିଛି। ତେଣୁ ଆଶାୟୀଙ୍କୁ ପରିଚାଳନା ସହ ଉପଯୁକ୍ତ ପ୍ରାର୍ଥୀ ନ ଦେଲେ ବିଜେଡି ପରାଜୟର ସ୍ୱାଦ ଚାଖିବ ବୋଲି ସମୀକ୍ଷକମାନେ ମତ ଦେଇଛନ୍ତି।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *